ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ପାଇଲା ସିଙ୍ଗାପୁର, ଜାଣନ୍ତୁ ଭାରତର ସ୍ଥାନ କେତେ

0 88

ଲଣ୍ଡନ: ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି । ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି । ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ ୧୯୩ ରାଷ୍ଟ୍ରକୁ ଗସ୍ତ କରିପାରିବେ ବୋଲି ଜଣାପଡିଛି । ସିଙ୍ଗାପୁର ପଛକୁ ଦକ୍ଷିଣ କୋରିଆ ଓ ଜାପାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ଦେଶର ପାସପୋର୍ଟଧାରୀ ବିନା ଭିସାରେ ଯଥାକ୍ରମେ ୧୯୦ ଓ ୧୮୯ ରାଷ୍ଟ୍ର ଯାଇପାରିବେ ବୋଲି କୁହାଯାଇଛି । ଗତବର୍ଷ ତୁଳନାରେ ଭାରତ ଏଥର ପାଞ୍ଚଟି ପାହ୍ୟା ତଳକୁ ଖସି ୮୫ତମ ସ୍ଥାନ ଅଧିକାର କରିଛି । ଭାରତୀୟ ପାସପୋର୍ଟଧାରୀ ବିନା ଭିସାରେ ୫୭ଟି ଦେଶ ଗସ୍ତ କରିପାରିବେ । ଗତବର୍ଷ ଭାରତ ୮୦ତମ ସ୍ଥାନରେ ଥିବାବେଳେ ପାସପୋର୍ଟଧାରୀଙ୍କୁ ୬୨ଟି ଦେଶ ବୁଲିବାର ସୁଯୋଗ ମିଳିପାରିଥିଲା ।
ଅପରପକ୍ଷରେ ଜର୍ମାନୀ, ଇଟାଲୀ, ଲକ୍‌ଜେମବର୍ଗ, ସ୍ପେନ ଓ ସ୍ୱିଜରଲାଣ୍ଡ ମିଳିତଭାବେ ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି । ଏହି ଦେଶର ପାସପୋର୍ଟଧାରୀଙ୍କୁ ବିନ ଭିସାରେ ୧୮୮ ରାଷ୍ଟ୍ର ଗସ୍ତ କରିବାର ସୁବିଧା ଉପଲବ୍ଧ ହେବ । ସେହିପରି ପଞ୍ଚମ ସ୍ଥାନରେ ଅଷ୍ଟ୍ରିଆ,ବେଲଜିୟମ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଆୟରଲାଣ୍ଡ ଓ ନେଦରଲାଣ୍ଡ୍‌ସ ମିଳିତ ଭାବେ ରହିଛନ୍ତି । ଏହି ପାସପୋର୍ଟଧାରୀମାନେ ବିନା ଭିସାରେ ୧୮୭ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇପାରିବେ । ଷଷ୍ଠ ସ୍ଥାନରେ ହଙ୍ଗେରୀ, ନ୍ୟୁଜିଲାଣ୍ଡ, ନରୱେ, ପର୍ତ୍ତୁଗାଲ ଓ ସ୍ୱିଡେନ ମିଳିତଭାବେ ରହିଛନ୍ତି । ଏହି ପାସପୋର୍ଟଧାରୀ ବିନା ଭିସାରେ ୧୮୬ ରାଷ୍ଟ୍ର ଯାଇପାରିବେ । ଅଷ୍ଟ୍ରେଲିଆ, ଚେକ୍ ଗଣତନ୍ତ୍ର,ମାଲଟା ଓ ପୋଲାଣ୍ଡ ମିଳିତଭାବେ ୭ମ ସ୍ଥାନରେ ରହିଥିବାବେଳେ ଏମାନଙ୍କୁ ୧୮୫ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ମିଳିବ । କ୍ରୋଏସିଆ, ଏଷ୍ଟୋନିଆ, ସ୍ଲୋଭାକିଆ, ସ୍ଲୋଭେନିଆ,ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଓ ବ୍ରିଟେନ ମିଳିତଭାବେ ୮ମ ସ୍ଥାନରେ ରହିଛନ୍ତି । କାନାଡା ୯ମ ସ୍ଥାନରେ ଥିବାବେଳେ ଲାଟଭିଆ ଓ ଲିଚେସଷ୍ଟିନ୍ ଯୁଗ୍ମଭାବେ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଏଭଳି ପାସପୋର୍ଟଧାରୀ ୧୮୨ ରାଷ୍ଟ୍ରକୁ ବିନା ଭିସାରେ ଗସ୍ତ କରିପାରିବେ । ଅପରପକ୍ଷରେ ଆମେରିକା ପ୍ରଥମ ଥର ଶ୍ରେଷ୍ଠ ୧୦ରୁ ବାଦ ପଡିଛି । ଗତବର୍ଷ ଆମେରିକା ଏହି ତାଲିକାରେ ୭ମ ସ୍ଥାନରେ ଥିବାବେଳେ ଚଳିତବର୍ଷ ୧୨ଶ ସ୍ଥାନକୁ ଖସିଛି । ଆମେରିକା ପାସପୋର୍ଟଧାରୀ ବିନା ଭିସାରେ ୧୮୦ ରାଷ୍ଟ୍ର ଗସ୍ତ କରିବାର ସୁଯୋଗ ପାଇବେ । ଭାରତର ପଡୋଶୀ ରାଷ୍ଟ୍ର ମଧ୍ୟରେ ଶ୍ରୀଲଙ୍କା ୯୮, ଭୁଟାନ ୯୨, ବାଂଲାଦେଶ ୧୦୦, ନେପାଳ ୧୦୧ ଓ ପାକିସ୍ତାନ ୧୦୩ତମ ସ୍ଥାନରେ ରହିଛନ୍ତି । ଆଫ୍‌ଗାନିସ୍ତାନ ପାସପୋର୍ଟ ବିଶ୍ୱର ସବୁଠୁ ଦୁର୍ବଳ ପାସପୋର୍ଟ ବିବେଚିତ ହୋଇଥିବାବେଳେ ଏହା ପଛକୁ ସିରିୟା ଓ ଇରାକ ସ୍ଥାନ ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =