ଗଣିଆ : ଗଣିଆରେ କିଡନୀ ରୋଗୀଂକ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗଣିଆରେ ୮ଟି ପଞ୍ଚାୟତରେ ୭୧ ଜଣ କିଡନୀ ରୋଗୀ ଚିକତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର କିଡନୀ ରୋଗରେ ଆକ୍ରାନ୍ତ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଗଣିଆ ବ୍ଳକର ଧୁଆଁମଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଶୋକ ଦାଶଙ୍କର କିଡନୀ ରୋଗରେ ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘରେ ତାଙ୍କର ସ୍ତ୍ରୀ ଏବଂ ଦଶମ ଓ ଅଷ୍ଟମ ପଢୁଥିବା ଗୋଟିଏ ପୁଅ ଗୋଟିଏ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ଶିକ୍ଷକ ତଥା ଅଭିଭାବକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବାସଭବନରେ ଶେଷ ଦର୍ଶନ କରିବାକୁ ଶିକ୍ଷକ ତଥା ଶୁଭେଛୁ ମାନଙ୍କର ଭିଡ ଜମି ରହିଛି । ଗତ କିଛିଦିନ ତଳେ ଗଣିଆ ବ୍ଳକ ବେଲପଡାପାଟଣା ଗ୍ରାମରେ ଜଣେ ମହିଳାଙ୍କର କିଡନୀ ରୋଗରେ ମୃତ୍ୟୁ ଘଟିଥିଲା । ଏଭଳି ସ୍ଥିତିରେ ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ନେଇ ଚିକିତ୍ସା ଏବଂ ପାନୀୟ ଜଳର ବିଶୁଦ୍ଧୀକରଣ କରିବାକୁ ସାଧାରଣରେ ଦାବି ହେଉଛି ।
