ଆଜି ଦେଖାଦେବ ‘ସୁପରମୁନ୍‌’

0 122

ଭୁବନେଶ୍ୱର:କାର୍ତ୍ତିକ ପୂର୍ଣ୍ଣିମା ବୁଧବାର ସନ୍ଧ୍ୟାରେ ଆକାଶରେ ଚଳିତ ବର୍ଷର ଦ୍ୱିତୀୟ ସୁପରମୁନ୍‌ ଦେଖାଯିବ। ଏହା ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭% ବଡ଼ ଏବଂ ୧୫% ଉଜ୍ଜ୍ୱଳ ଦେଖାଯିବ। ଏହା ଏକ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଏବଂ ଏହାକୁ ଖାଲି ଆଖିରେ ଦେଖି ହେବ। ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଆକାଶ ମେଘମୁକ୍ତ ଥିଲେ, ଏହାକୁ ଖାଲି ଆଖିରେ ରାତି ସାରା ଦେଖି ହେବ। ସୁପରମୁନ୍‌ର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼େ ନାହିଁ।
୧୯୭୯ରେ ସୁପରମୁନ୍‌ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷୀ ରିଚାର୍ଡ ନଲ୍‌ ପ୍ରଚଳନ କରିଥିଲେ। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ପ୍ରାୟ ୨୯ ଦିନରେ ଥରେ ଏକ ପୂର୍ଣ୍ଣିମା ପଡ଼ିଥାଏ। ଅଣ୍ଡାକୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ଥାଏ। ଜ୍ୟୋତିଷୀ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍‌ ଦୂରତାରେ ଥିବା ସମୟରେ ପୂର୍ଣ୍ଣିମା ପଡ଼ିଲେ ତାହାକୁ ‘ସୁପରମୁନ୍‌’ କୁହାଯାଏ। ଅର୍ଥାତ୍‌ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡ଼େ, ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ। ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ପ୍ରାୟ ପ୍ରତ୍ୟେକ ବର୍ଷ ଏଭଳି ଘଟଣା ୨ ରୁ ୪ ଥର ଘଟିଥାଏ। ୨୦୨୫ରେ ମୋଟ୍‌ ୩ ସୁପରମୁନ ଦେଖାଯିବ। ପୂର୍ବରୁ ଥରେ ସୁପରମୁନ୍‌ ଦେଖାଯାଇଥିବାବେଳେ ଦ୍ୱିତୀୟ ସୁପରମୁନ୍‌ ନଭେମ୍ବର ୫ ଓ ଶେଷ ସୁପରମୁନ୍‌ ଡିସେମ୍ବର ୪ରେ ଦେଖାଯିବ। ସେହିପରି ୨୦୨୬ରେ ମୋଟ୍‌ ୩ଟି ସୁପରମୁନ୍‌ ଯଥାକ୍ରମେ ଜାନୁଆରୀ ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ରେ ଦେଖାଯିବ।

hiranchal ad1
Leave A Reply

Your email address will not be published.

4 × one =