ଦାରିଙ୍ଗବାଡ଼ିରେ ୧୧ଡିଗ୍ରୀ ଛୁଇଁଲା ପାରଦ

0 71

ଭୁବନେଶ୍ବର: ଜଳୀୟବାଷ୍ପ ହ୍ରାସ ସହିତ ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ଅନୁଗୋଳ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଏବଂ ନବରଙ୍ଗପୁର ଆଦି ପାହାଡ଼ିଆ ଜିଲାରେ ପ୍ରବଳ ଶୀତ ପଡୁଛି। ଦାରିଙ୍ଗବାଡ଼ିରେ ପାରଦ ୧୧ଡିଗ୍ରୀ ଛୁଇଁଥିବା ବେଳେ ଝାରସୁଗୁଡାରେ ୧୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ୮ଟି ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଫଳସ୍ବରୂପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ଥଣ୍ଡା ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ଦିନ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫଳରେ ପାହାଡ଼ିଆ ଅଞ୍ଚଳରୁ ଆରମ୍ଭ କରି ସମତଳ ଅଞ୍ଚଳଗୁଡ଼ିକରେ ଶୀତ ବଢ଼ିବ। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ଶୀତ ଲହରୀ ସମ୍ଭାବନା ରହିଛି।

hiring

ଏଣେ ପଶ୍ଚିମ ଭାରତ ଉପରେ ଆସନ୍ତା ୧୪ ଓ ୧୫ତାରିଖ ବେଳକୁ ସକ୍ରିୟ ହେବ ଗୁରୁଚାପ ବଳୟ। ଉତ୍ତର-ପୂର୍ବ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଗାମୀ ଏକ ସପ୍ତାହ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ଖସିପାରେ ଏବଂ ଶୀତ ଅନୁଭୂତ ହୋଇପାରେ। ଅନ୍ୟପଟେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଦୁଇଦିନ ହେଲା କ୍ରମାଗତ ଭାବେ ରାତି ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହାଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୀତ ବୃଦ୍ଧି ପାଉଛି। ୬ ତାରିଖରେ ଦାରିଙ୍ଗବାଡ଼ିରେ ପାରଦ ୧୫ଡିଗ୍ରୀ ଥିବାବେଳେ ୭ତାରିଖରେ ୨ଡିଗ୍ରୀ ହ୍ରାସ ପାଇ ୧୩ ଡିଗ୍ରୀ ହୋଇଥିଲା। ୮ତାରିଖରେ ୧ ଡିଗ୍ରୀ ହ୍ରାସ ପାଇ ୧୨ ଡିଗ୍ରୀ ଥିଲା। ୯ ତାରିଖରେ ପୁଣି ୧ଡିଗ୍ରୀ ହ୍ରାସ ପାଇ ୧୧ଡିଗ୍ରୀରେ ପହଞ୍ଚିଛି।

ଦାରିଙ୍ଗବାଡ଼ିରେ ଥଣ୍ଡା ଓ ଶୀତ ବୃଦ୍ଧି ପାଇଥିବାରୁ ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଫୁଲବାଣୀରେ ରାତି ତାପମାତ୍ରା ୧୨ଡିଗ୍ରୀ ସେଲସିୟସ୍‌ ଛୁଇଁଛି। ସେପଟେ ରାଉରକେଲାରେ ୧୩.୨, ଭଦ୍ରକରେ ୧୪, ଅନୁଗୋଳ, କେନ୍ଦୁଝର ଏବଂ କୋରାପୁଟରେ ୧୪.୬ ଡିଗ୍ରୀ, ଭବାନୀପାଟଣାରେ ୧୫, ବଲାଙ୍ଗିରରେ ୧୫.୭, ବାରିପଦାରେ ୧୬, ଭୁବନେଶ୍ବରରେ ୧୭.୪ ଏବଂ କଟକରେ ୧୭.୬ ଡିଗ୍ରୀ ତାପମାତ୍ରା ରହିଛି। ଝାରସୁଗୁଡ଼ା ଜିଲାରେ ତିନିଦିନ ହେଲା କ୍ରମାଗତ ଭାବେ ରାତି ତାପମାତ୍ରା କମିଛି। ଫଳରେ ଜିଲାର ଗାଁରୁ ସହର ସବୁଠି ଶୀତ ପ୍ରକୋପ ଲାଗି ରହିଛି।

hiranchal ad1
Leave A Reply

Your email address will not be published.

three × 1 =