ଦୁବାଇ : ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୋଡର଼୍ର ଭର୍ଚୁଆଲ୍ ବୈଠକ ବସୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ର ଭବିଷ୍ୟତ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଆଇସିସି ବିଶ୍ୱକପ୍କୁ ଆସନ୍ତାକାଲି ବାତିଲ୍ ଘୋଷଣା କରିବ ବୋଲି ବିସିସିଆଇ ପୂର୍ବାନୁମାନ କରୁଛି । ଯଦି ତାହା ହୁଏ, ତେବେ ଭାରତୀୟ ପ୍ରିମିୟର ଲିଗ୍ (ଆଇପିଏଲ୍) ଯୋଜନା ଅନୁଯାୟୀ ହୋଇପାରିବ । ପୂର୍ବରୁ କୁହାଯାଉଥିଲା ଯେ, ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । କିନ୍ତୁ ଅଷ୍ଟ୍ରେଲିଆରେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ସ୍ଥିତି ପୁଣି ଉଦ୍ବେଗଜନକ ହୋଇପଡ଼ିବାରୁ ଏହି ଦେଶର କ୍ରିକେଟ୍ ବୋଡର଼୍ ଇଭେଣ୍ଟ ଆୟୋଜନ ଲାଗି ନିଜର ଅକ୍ଷମତା ପ୍ରକାଶ କରିଥିଲା । ଭାରତରେ ମଧ୍ୟ କରୋନା ପରିସ୍ଥିତି ଅତି ସାଙ୍ଘାତିକ । ସଂକ୍ରମଣ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଲାଣି । ତେଣୁ ଏଭଳି ସ୍ଥିତିରେ ଭାରତରେ ଆଇପିଏଲ୍ ଆୟୋଜନ କରିବା ଆଦୌ ସମ୍ଭବ ନୁହେଁ । କିନ୍ତୁ ଭାରତରେ ନହୋଇପାରିଲେ ମଧ୍ୟ ଅନ୍ୟ କୌଣସି ଏକ ଦେଶରେ ଏହାକୁ ଆୟୋଜନ କରାଯାଇପାରିବ । ୟୁଏଇରେ ଏହାକୁ ଆୟୋଜନ କରିବା ଲାଗି ବିସିସିଆଇ ପ୍ରସ୍ତୁତ ଥିବା କଥା ସୂଚନା ଦେଇସାରିଛି । ବିସିସିଆଇ କହିଛି ଯେ, ଯଦି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରନ୍ତି, ତେବେ ସେହି ଦେଶରେ ଆଇପଏଲ୍କୁ ଆୟୋଜନ କରାଯାଇପାରିବ । ତେବେ ଏହା କରିବାକୁ ହେଲେ ଟି-୨୦ ବିଶ୍ୱକପ୍ ବାତିଲ୍ କରିବାକୁ ପଡ଼ିବ । କାରଣ ଗୋଟିଏ ସମୟରେ ଦୁଇଟି ବଡ଼ ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରାଯାଇ ପାରିବ ନାହିଁ । ତେଣୁ ଆସନ୍ତାକାଲିର ଆଇସିସି ବୋଡର଼୍ ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ।