ଫୁଲବାଣୀ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଗୁଳିରେ ଟଳିଲା ଟପ୍ ମାଓ ନେତା ଗଣେଶ । ସୁରକ୍ଷାକର୍ମୀ ଗୁଳିରେ ଟପ୍ ମାଓନେତା ଗଣେଶ ସମେତ ୪ ମାଓବାଦୀ ନିହତ ହୋଇଛନ୍ତି । ସେ ଓଡ଼ିଶା କ୍ୟାଡର ମୁଖ୍ୟ ରହିଥିଲେ । ଯାହା ମୁଣ୍ଡ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ଗୁଇନ୍ଦା ସୂଚନା ଆଧାରରେ, ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନ ସମୟରେ ମାଓବାଦୀମାନେ ପୋଲିସକୁ ଦେଖି ପ୍ରଥମେ ଗୁଳି ଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ଶେଷରେ ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୋଲିସର ସର୍ଚ୍ଚ ଅପରେସନରେ ୪ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା । ଯେଉଁଥିରେ ଦୁଇ ଜଣ ପୁରୁଷ ଏବଂ ଦୁଇ ମହିଳା ରହିଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ଓଡ଼ିଶା କ୍ୟାଡର ମୁଖ୍ୟ ଗଣେଶ ଥିବା ଜଣାପଡିଛି ।
ତେବେ ୬୯ ବର୍ଷୀୟ ଗଣେଷ ଉଇକେ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲା । ମାଓନେତା ନାଁରେ ୧ କୋଟି ୧୦ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । ଗଣେଶର ଘର ତେଲେଙ୍ଗାନା ନାଲଗୋଣ୍ଡାର ଅଞ୍ଚଳର ହୋଇଥିବା ବେଳେ ସେ ମାଓ ସଂଗଠନ ସହିତ ଜଡିତ ହୋଇଥିଲେ । ଏହାପରେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ଅନେକ ଅପରେସନରେ ସାମିଲ ହୋଇଥିଲା । ଯାହାପରେ ତାହାର କାର୍ଯ୍ୟଶୈଳୀକୁ ଦେଖି ଓଡ଼ିଶା ମାଓ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା ।
ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରୁ ୨ଟି ଇନସାସ ରାଇଫଲ ସହ ଗୋଟିଏ ୩୦୩ ରାଇଫଲ ଜବତ ହୋଇଛି । ଏହି ମିଳିତ ଏନ୍କାଉଣ୍ଟର SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ସାମିଲ ରହିଛନ୍ତି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।
