ଭୁବନେଶ୍ୱର: ରାଜ୍ୟ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଆଜି ୩କୋଟି ଟଙ୍କାର ବ୍ରାଉନସୁଗର ଜବତ କରିଛି । ୩.୨୮ କେଜିର ଏହି ବ୍ରାଉନସୁଗର ଜବତ କରିବା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଟ୍ୱିଟ୍ କରିଛନ୍ତି । କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି ଯେ, ମୟୁରଭଞ୍ଜର ବାରିପଦାରୁ ଏସଟିଏଫ୍ ଟିମ୍ ଏହି ବ୍ରାଉନସୁଗର ଜବତ କରିଛନ୍ତି । ଏହି ଘଟଣାର ଏସଟିଏଫ୍ ଜଣକୁ ଗିରଫ କରିଛି । ପୂର୍ବରୁ ରସୁଲଗଡ ଛକରୁ ୪କୋଟି ୫୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଥିବାବେଳେଆଜି ଅନୁମାନିକ ୩କୋଟି ଟଙ୍କାର ବ୍ରାଉନସୁଗର ଜବତ ହେବା ଏସଟିଏଫ୍ ପାଇଁ ଏକ ବଡ ସଫଳତା ବୋଲି ଡିଜିପି ଶ୍ରୀ ଅଭୟ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଭୟ କହିଛନ୍ତି ଯେ, ବାଲେଶ୍ୱର, ଭୁବନେଶ୍ୱର, ଖୋରଧା ଓ ପୁରୀ ଅଂଚଳରେ ଏସଟିଏଫର ଘନଘନ ଚଢାଉ ପରେ ଏବେ ନିଶା ମାଫିଆ ଉତ୍ତର ଓଡିଶାରେ ବିଶେଷକରି ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ଏହି କାରବାରକୁ ସକ୍ରିୟ ଭାବରେ ଚଳାଇ ରଖିଛନ୍ତି ।ତେବେ ଏସଟିଏଫ୍ ଅତି ସତର୍କତା ସହିତ ଜାଲ ବିଛାଇ ନିଶାମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି । ଗତକାଲି ଅପରାହ୍ନରେ ୧୬ ନମ୍ବର ଜାତୀୟ ରାଜପଥର ବାରିପଦା କୁଡିଆଣା ନିକଟରେ ଜଣେ ନିଶା ମାଫିଆ ବ୍ରାଉନସୁଗର ଚାଲାଣ ପାଇଁ ଅପେକ୍ଷା କରିଥିବା ବେଳେ ଏସଟିଏଫ୍ର ସ୍ୱତନ୍ତ୍ର ଟିମ୍ ତାଙ୍କୁ କାବୁ କରିନେଇଥିଲା । ପ୍ରକାଶଯୋଗ୍ୟ ଗତ ୭ ମାସ ଭିତରେ ଏସଟିଏଫ୍ ୧୫କେଜି ୬୮ ଗ୍ରାମ ଜବତ କଲାଣି । ଏହି ଘଟଣାରେ୨୦ଟି ମାମଲା ଏ ଯାଏଁ ରୁୁଜ ହୋଇଥିବା ବେଳେ୪୦ଜଣଙ୍କୁ ଗିରଫ କରାଗଲାଣି ।