ସମ୍ବଲପୁର: ଦୈନିକ ହୀରାଞ୍ଚଳ ପାଇଁ ଅପୂରଣୀୟ କ୍ଷତି । ଚାଲିଗଲେ ସମ୍ବଲପୁର ସଂସ୍କରଣର ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର। ହଠାତ୍ ତାଙ୍କର ବିୟୋଗରେ ହୀରାଞ୍ଚଳ ପରିବାର ସ୍ତବ୍ଧ ହୋଇଯାଇଛି । ତାଙ୍କର ବିୟୋଗରେ ହୀରାଞ୍ଚଳ ସଂପାଦକ ଯୁଗଳ କିଶୋର ସାମଲ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ ତାଙ୍କ ଶୋକାବାର୍ତ୍ତାରେ କହିଛନ୍ତି ତାଙ୍କର ପରଲୋକ ‘ହୀରାଞ୍ଚଳ’ ପାଇଁ ଏକ ଅପୂରଣୀୟ କ୍ଷତି । କେବଳ ହୀରାଞ୍ଚଳ ପଶ୍ଚିମଓଡିଶା ସଂସ୍କରଣର ମୁଖ୍ୟ ନଥିଲେ, ସେ ଆମ ପାଇଁ ଥିଲେ ଜଣେ ମାର୍ଗଦର୍ଶକ ଓ ମୁରବି ସଦୃଶ । ତାଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମର୍ମାହତା ତାଙ୍କ ବିୟୋଗରେ ମୁଁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଈଶ୍ୱର ତାଙ୍କର ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ସେହିପରି ହୀରାଞ୍ଚଳ ଭୁବନେଶ୍ବର କାର୍ଯ୍ୟାଳୟରେ ତାଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ଏଥିରେ ବାର୍ତ୍ତା ସଂପାଦକ ଜାମିନୀକାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେ ମଧ୍ୟ ଶ୍ରୀ ମେହେରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖିତ ବୋଲି ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଥିଲେ । ସୂଚନାଯୋଗ୍ୟ ଯେ ଗତ 17 ତାରିଖ ରାତି 11.45 ମିରେ ଶ୍ରୀ ମେହେରଙ୍କ ପରଲୋକ ହୋଇଥିଲା। ସେ ଗଣମାଧ୍ୟମ ଜଗତରେ ବେଶ୍ ଚଳ ଚଞ୍ଚଳ ଥିଲେ। ଏପରି କି ସେହିଦିନ ସକାଳେ ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଶବସତ୍କାର କାର୍ଯ୍ୟରେ ମଧ୍ୟ ରାଜଘାଟ ଯାଇଥିଲେ। ଘରେ ରାତି ଭୋଜନ କରିସାରିବା ପରେ, ପାଣିପିଇବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ପରେ ବୁର୍ଲା ଡାକ୍ତରଖାନକୁ ସ୍ଥାନାନ୍ତରଣ କରାଯାଇଥିଲା।


ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ତାଙ୍କର ଜନ୍ମ 1951 ମସିହା ମାର୍ଚ୍ଚ 6 ତାରିଖ ହୋଇଥିଲା। ସେ ସମ୍ବଲପୁରର ମୂଳ ନିବାସୀ ଥିଲେ ଓ ତାଙ୍କର ପୁରା ଶିକ୍ଷା ରାଞ୍ଚିରେ ହୋଇଥିଲା। ପରେ ସେ ସମ୍ବଲପୁର ଅସି ପ୍ରଥମେ ହୋଟେଲ ଶିଳ୍ପରେ କିଛି ଦିନ କାର୍ଯ୍ୟ କରିବା ପରେ ସାମ୍ବାଦିକତା କ୍ଷେତ୍ର ରେ ପ୍ରବେଶ କରିଥିଲା। ସେ ହିନ୍ଦୀ ଖବରକାଗଜ “ଲୋକ ସ୍ୱର”, “ନବଭାରତ ଓ “ଦୈନିକ ଭାସ୍କର “ପାଇଁ ବହୁ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଏବେ ସେ ଓଡ଼ିଆ ଦୈନିକ ଖବର କାଗଜ ହୀରାଞ୍ଚଳର ସମ୍ୱଲପୁର ସଂସ୍କରଣର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଗଣମାଧ୍ୟମ ଓ ସାମ୍ବାଦିକତା ବିଭାଗରେ ସେ ଅତିଥି ଅଧ୍ୟାପକ ଭାବେ ମଧ୍ୟ କିଛିଦିନ ଶିକ୍ଷା ଦାନ କରିଥଲେ। ଶ୍ରୀ ମେହେର ଅତ୍ୟନ୍ତ ମେଲାପି ଓ ମିଷ୍ଟଭାଷୀ ସ୍ଵଭାବର ଥିଲେ। ଆତ୍ୟନ୍ତ ଦାମ୍ଭିକ ବ୍ୟକ୍ତି ଥିଲେ, ଜଣେ ନିର୍ଭୀକ ସାମ୍ୱାଦିକ ଭାବେ ସମସ୍ୟା ଗୁଡ଼ିକୁ ସବୁବେଳେ ଦୃଢ଼ତା ର ସହ ଉପସ୍ଥାପନା କରୁଥିଲେ। ସମାଜସେବାରେ ମଧ୍ୟ ସେ ସବୁବେଳେ ସକ୍ରିୟ ଥିଲେ। ପର ଚର୍ଚ୍ଚା ପର ନିନ୍ଦା ଠାରୁ ଦୂରରେ ରହିବା ତାଙ୍କର ଏହି ଗୁଣ ସମସ୍ତଙ୍କୁ ଆକର୍ଷିତ କରୁଥିଲା। ସେ ପଦ୍ମଶ୍ରୀ ହଳଧର ନାଗଙ୍କର ଲିଖିତ ପୁସ୍ତକ ସୁରେନ୍ଦ୍ର ସାଏକୁ ହିନ୍ଦୀରେ ଅନୁବାଦ କରିଥିଲେ। ତାଙ୍କର ଦେହାନ୍ତ ସମ୍ବଲପୁର ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ତାଙ୍କ ପଛରେ ସେ ପତ୍ନୀ, ପୁଅ ଅପୂର୍ବ ଓ ଝିଅ ବନ୍ଦନା କୁ ଛାଡି ଯାଇଛନ୍ତି। ସେ ତାଙ୍କର ସମ୍ପୂର୍ଣ୍ଣ ଶରୀର କୁ vimssar ମେଡିକାଲ କଲେଜ୍ କୁ ଦାନ କରିଛନ୍ତି। ତାଙ୍କର ଶେଷ ଦର୍ଶନ ରେ ସମ୍ବଲପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
