ସାରଙ୍ଗଡ଼ ଶିଶୁ ବିଦ୍ୟା ଭବନର ରୌପ୍ୟ ଜୟନ୍ତୀ ପାଳିତ

0 79

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ରେ ଥିବା ଶିଶୁ ବିଦ୍ୟା ଭବନର ୨୫ ବର୍ଷ ପୂର୍ତ୍ତି ଅବସରରେ ମହା ଆଡ଼ମ୍ବରରେ ରୌପ୍ୟ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କ.ନୁଆଗାଁ ବିଡ଼ିଓ ସୁଶ୍ରୀ ସୁଭ୍ରାଞ୍ଜଳୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ପ୍ରଶାସନ ମଧ୍ୟ ଚେଷ୍ଟା କରିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସାରଙ୍ଗଡ଼ ଥାନା ଅଧିକାରୀ ସ୍ମିତା ଜେନା,କ.ନୁଆଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ କହଁର,ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର, ଅଞ୍ଚଳର ମୁଠା ମୁଖ୍ୟ ରୂଦ୍ର ପାତ୍ର, ବିଦ୍ୟାଳୟ କୋଷାଧ୍ୟକ୍ଷ ରାଧାକାନ୍ତ ତ୍ରିପାଠୀ, ସଭାପତି କାଳିଆ ସୁନା ପାଢ଼ୀ,ଉପ ସଭାପତି ସାମନ୍ତ ପାତ୍ର, ବୁଦ୍ଧିଜୀବୀ ସହଦେବ ପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଫିରିଙ୍ଗିଆ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ,ଅଭିଭାବିକାଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସାମିଲ୍ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସମ୍ପାଦକ ବିଷ୍ଣୁ ପ୍ରସାଦ ପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ । ରୌପ୍ୟ ଜୟନ୍ତୀ ଉପଲକ୍ଷେ ପୁର୍ବରୁ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟୟନରତ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

7 + three =