ବୌଦ୍ଧ,୮/୫:- ଶୁକ୍ରବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବୌଦ୍ଧ ସହର ବାଘ ଗୁଡା ଛକ ଠାରେ ନଗର ମଣ୍ଡଳ ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକାକୁ ବିଜେପିର ମହିଳା ନେତ୍ରୀ ମାନେ ଦାହ କରିଥିଲେ । ଏହା ପୂର୍ବରୁ ବୌଦ୍ଧ ସହର ମାଉସୀ ମାଁ ମନ୍ଦିର ନିକଟରୁ ମହିଳା ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମହିଳା ସଂରକ୍ଷଣ ବିଲକୁ ବିରୋଧ କରୁଥିବା କଂଗ୍ରେସ ଓ ବିଜେଡି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ୱାରଲେସ ଛକ, ବାବୁ ସାହି ,ବାଘ ଗୁଡା ଛକ ଦେଇ ଗାନ୍ଧୀ ଛକରେ ଗାନ୍ଧୀଙ୍କ ପ୍ରତିମୁର୍ତ୍ତିକୁ ପରିକ୍ରମା କରି ବାଘଗୁଡା ଛକ ନିକଟରେ କୁଶ ପୁତ୍ତଳିକା ଦାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ମୀନାରାଣୀ ମିଶ୍ର, ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟା ଶ୍ରୀମତୀ ସଂଯୁକ୍ତା ନାଏକ, ମହିଳା ବିଜେପି ନେତ୍ରୀ ଶ୍ରୀମତୀ ନମିତା ରାଣୀ ଦାଶ, ମଣ୍ଡଳ ମହିଳାମୋର୍ଚ୍ଚା ସଭାପତି ରୀନା ବେହେରା, ନଗର ମଣ୍ଡଳ ସଭାପତି ଗଜେନ୍ଦ୍ର ସାହୁ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ପୂର୍ବତନ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ମନୋରଞ୍ଜନ ଦାଶ, ଜ଼ିଲ୍ଲା ବିଜେପି ଉପସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ବରିଷ୍ଠ ବିଜେପି ନେତା ସତ୍ୟାନନ୍ଦ ପାଣ୍ଡେ, ରାଜ କୁମାର ମେହେର, ତାପସ କୁମାର ପଟ୍ଟନାୟକଙ୍କ ସମେତ ବୌଦ୍ଧ ସହରର ଦଳୀୟ କର୍ମକର୍ତ୍ତା ଓ ମହିଳା ମାନେ ଅଂଶ ଗ୍ରହଣ କରିଥିଲେ ।


