ଏବେ ଏମିତି ଖେଳାଯିବ କ୍ରିକେଟ ବିଶ୍ବକପ, ସହଜ ହେବନି ଟ୍ରଫି ଜିତିବା

0 72

ନୂଆଦିଲ୍ଲୀ: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ICC) ଫର୍ମାଟରେ ବଡ଼ ପରିବର୍ତ୍ତନ ଆଣିଛି। ଆଇସିସି ବୋର୍ଡ ବୈଠକରେ ପ୍ରଥମ ଥର ପାଇଁ ‘ସୁପର ସିରିଜ୍’ ଓ ‘ସୁପର-୭’ ଫର୍ମାଟକୁ ଅନୁମୋଦନ ମିଳିଛି। ନୂଆ ବ୍ୟବସ୍ଥା ଅନୁସାରେ ୨୦୨୭ ବିଶ୍ୱକପରେ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିବେ ଏବଂ ପ୍ରତିଯୋଗିତା ତିନୋଟି ପର୍ଯ୍ୟାୟରେ ସମ୍ପନ୍ନ ହେବ।
ନୂତନ ଫର୍ମାଟ ଅନୁଯାୟୀ, ଯୋଗ୍ୟତା ତାଲିକାର ୧୨ତମ, ୧୩ତମ ଓ ୧୪ତମ ସ୍ଥାନରେ ଥିବା ଦଳଗୁଡ଼ିକ ପ୍ରଥମେ ‘ସୁପର ସିରିଜ୍’ରେ ମୁହାଁମୁହିଁ ହେବେ। ଏହି ପର୍ଯ୍ୟାୟର ବିଜେତା ଦଳ ଅନ୍ୟ ୧୧ଟି ଦଳ ସହ ରାଉଣ୍ଡ-୨ରେ ପ୍ରବେଶ କରିବ।ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପରେ ୬ଟି ଲେଖାଏଁ ଦଳ ରାଉଣ୍ଡ-ରବିନ୍ ପଦ୍ଧତିରେ ପରସ୍ପର ସହ ମ୍ୟାଚ୍ ଖେଳିବେ।
ଉଭୟ ଗ୍ରୁପରୁ ଶ୍ରେଷ୍ଠ ତିନୋଟି ଲେଖାଏଁ ଦଳ ସିଧାସଳଖ ‘ସୁପର-୭’ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଏହାସହ ଦୁଇ ଗ୍ରୁପରେ ଅବଶିଷ୍ଟ ଛଅଟି ଦଳ ମଧ୍ୟରୁ ସର୍ବାଧିକ ଭଲ ପ୍ରଦର୍ଶନ କରିଥିବା ଗୋଟିଏ ଦଳ ସପ୍ତମ ଦଳ ଭାବେ’ସୁପର-୭’ରେ ସ୍ଥାନ ପାଇବ।’ସୁପର-୭’ ପର୍ଯ୍ୟାୟରେ ସମସ୍ତ ସାତଟି ଦଳ ସିଙ୍ଗଲ୍ ରାଉଣ୍ଡ-ରବିନ୍ ଆଧାରରେ ମ୍ୟାଚ୍ ଖେଳିବେ। ଏହାପରେ ପଏଣ୍ଟ ତାଲିକାର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଦୁଇଟି ସେମିଫାଇନାଲ୍ ମ୍ୟାଚ୍‌ର ବିଜେତା ଦଳ ଫାଇନାଲରେ ମୁକାବିଲା କରି ୨୦୨୭ ବିଶ୍ୱକପ ଟ୍ରଫି ପାଇଁ ଲଢ଼ିବେ। ଆଇସିସି ର ଏହି ନୂଆ ଫର୍ମାଟ ପ୍ରତିଯୋଗିତାକୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ କରିବା ସହ ପ୍ରତ୍ୟେକ ପର୍ଯ୍ୟାୟର ମ୍ୟାଚ୍‌ର ଗୁରୁତ୍ୱ ବଢ଼ାଇବ ବୋଲି କ୍ରିକେଟ ମହଲରେ ଆଶା କରାଯାଉଛି।

hiranchal ad1
Leave A Reply

Your email address will not be published.

5 × 5 =