ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ

0 214

ଭୁବନେଶ୍ବର : ରାଜ୍ୟ ତମାମ ବର୍ଷା ଜାରି ରହିଥିବା ବେଳେ ଏହାରି ଭିତରେ ମୁଣ୍ଡ ଟେକିଲାଣି ଡେଙ୍ଗୁ। ଚଳିତବର୍ଷ ରାଜ୍ୟରେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ତୁଳନାରେ କମ୍‌ ହୋଇଥିଲେ ହେଁ ଏହାକୁ ଆଉ ଅଧିକ ବଢ଼ିବା ପାଇଁ ନ ଦେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ସଚେତନତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ବର୍ଷା ଦିନେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋ‌ଇଥା’ନ୍ତି। ବିଶେ‌ଷକରି ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବରରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ସଚେତନତା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
‘ସୁସ୍ଥ ଓଡ଼ିଶା, ସୁରକ୍ଷିତ ଓଡ଼ିଶା’ ଲକ୍ଷ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟବ୍ୟାପୀ ସଚେତନତା ଜାରି ରହିଥିବା ବେଳେ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଡେଙ୍ଗୁ ପାଇଁ ସ୍ବତନ୍ତ୍ର ୱାର୍ଡ ସଂରକ୍ଷିତ ରହିଥିବା ବେଳେ ମାଗଣା ପରୀକ୍ଷା ଓ ଚିକିତ୍ସା କରାଯାଉଛି। କେବଳ ଚିକିତ୍ସା ନୁହେଁ, ରୋଗ ପ୍ରତିରୋଧକୁ ବିଭାଗ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ବ୍ୟାପକ ସଚେତନା ଯୋଗୁଁ ୨୦୨୫ ଅପେକ୍ଷା ୨୦୨୬ରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ୨୦୨୬ ଜାନୁଆରୀ ପହିଲାରୁ ଗତକାଲି ପର୍ଯ୍ୟନ୍ତ ମୋଟ ରାଜ୍ୟରେ ୫୨,୩୬୨ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିବା ବେଳେ ୨୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଏହି ସମୟରେ ଅର୍ଥାତ୍‌ ୨୦୨୫ରେ ୪୩,୬୪୦ ନମୁନା ପରୀକ୍ଷା କରାଯାଇଥିଲା ଏବଂ ସେଥିମଧ୍ୟରୁ ୪୬୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।
୨୦୨୪ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯,୮୯୨ ଥିବା ବେଳେ ୨୦୨୫ ପ୍ରାୟ ୭୩ ପ୍ରତିଶତ ହ୍ରାସ ପାଇଥିଲା। ଯଦିଓ ସଂଖ୍ୟା କମୁଛି, ତଥାପି ବିଭାଗ ସଜାଗ ରହିଛି। ଆଣ୍ଠୁଗଣ୍ଠି ଦରଜ ହେବା, ଜ୍ବର ସହ ମୁଣ୍ଡ ବିନ୍ଧା ଓ ବାନ୍ତି ହେବା ଏବଂ ଭୋକ ନ ଲାଗିବା, ପ୍ଲେଟଲେଟ୍‌ କମିଯିବା ଆଦି ଡେଙ୍ଗୁର ଲକ୍ଷଣ। ଏଭଳି ଲକ୍ଷଣ ଦେଖାଦେଲେ, ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି। ଏଡିସ୍‌ ମଶା କାମୁଡ଼ିଲେ ଡେଙ୍ଗୁ ହୋଇଥାଏ। ଏହି ମଶା ସ୍ବଚ୍ଛ ପାଣିରେ ବଂଶ ବିସ୍ତାର କରନ୍ତି। ଘରେ ଥିବା କୁଲର, ଅଦରକାରୀ ସାମଗ୍ରୀ, କୁଡୁଆ, ବିଭିନ୍ନ ପ୍ରକାରର ଖୋଳ ଆଦି ଜିନିଷରେ ପାଣି ଜମିବାକୁ ନଦେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

hiranchal ad1
Leave A Reply

Your email address will not be published.

8 − six =