ଆଫଗାନିସ୍ତାନରେ ବନ୍ୟା: ୨୦ ମୃତ

0 78

କାବୁଲ : ଆଫଗାନିସ୍ତାନର ପୂର୍ବରେ ଥିବା ନୁରିସ୍ତାନରେ ବନ୍ୟା ଯୋଗୁଁଁ ଅତିକମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୮୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ପ୍ରବକ୍ତା ୟୁସୁଫ୍ ହାମ୍ମାଦଙ୍କ ଅନୁଯାୟୀ, ନୁରିସ୍ତାନ ପ୍ରଦେଶର ପାରୁନ୍ ସହର ଏବଂ ଅନ୍ୟାନ୍ୟ ଆଖପାଖ ଅଞ୍ଚଳରେ ଏହି ବନ୍ୟା ବ୍ୟାପକ କ୍ଷତି ପହଞ୍ଚାଇଛି। ପ୍ରବଳ ବନ୍ୟା ଜଳରେ ଅନେକ ବାସଗୃହ, ଚାଷଜମି ଓ ସରକାରୀ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଛି। ପ୍ରଶାସନ ପକ୍ଷରୁ ସାଧାରଣ ନାଗରିକଙ୍କୁ ବନ୍ୟା ପ୍ରବଣ ଅଞ୍ଚଳ ଏବଂ ନଦୀକୂଳଠାରୁ ଦୂରେଇ ରହିବାକୁ ଜରୁରୀ ସୂଚନା ଦିଆଯାଇଛି। ଗଛ କଟାଯିବା, ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ଭିତ୍ତିଭୂମି ଓ କଞ୍ଚା ମାଟିଘର ଯୋଗୁଁଁ ଆଫଗାନିସ୍ତାନରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଅଧିକ ଭୟଙ୍କର ହେଉଛି। ସରକାରୀ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦେଶର ୩୪ଟି ପ୍ରଦେଶ ମଧ୍ୟରୁ ୧୦ଟି ପ୍ରଦେଶରେ ପ୍ରବଳ ବର୍ଷା, ଝଡ଼ତୋଫାନ ଏବଂ ଆକସ୍ମିକ ବନ୍ୟାର ପୂର୍ବାନୁମାନ କରି ପରିବହନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି।

hiranchal ad1
Leave A Reply

Your email address will not be published.

fifteen + 13 =