ବଢୁଛି ଜଳକା, ଶାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର; ବନ୍ୟା ଆଶଙ୍କା

0 65

ଭୁୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ମଧ୍ୟ ବର୍ଷାର ପରିମାଣ ବେଶ୍ ଅଧିକ ରହିଛି। କ୍ରମାଗତ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ଦେଖାଦେଇଛି।
ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ଜଳକା, ଶାଳନ୍ଦୀ ଏବଂ ବୈତରଣୀ ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି। ବିଶେଷକରି ସନ୍ଧ୍ୟା ସୁଦ୍ଧା ବୈତରଣୀ ନଦୀରେ ଏକ ବଡ଼ଧରଣର ବନ୍ୟା ଆସିପାରେ ବୋଲି ଆଶଙ୍କା କରାଯାଉଛି। ଆଖୁଆପଦା ନିକଟରେ ଏପର୍ଯ୍ୟନ୍ତ ଜଳସ୍ତର ବିପଦ ସଂକେତ ଟପି ନଥିଲେ ହେଁ, ସନ୍ଧ୍ୟା ସୁଦ୍ଧା ଏହା ବିପଦ ସଂକେତ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବୈତରଣୀ ଓ ଶାଳନ୍ଦୀର ବନ୍ୟା ଜଳ ଯୋଗୁଁ ଭଦ୍ରକ ଜିଲ୍ଲାର ଧାମନଗର, ଦଶରଥପୁର ଏବଂ ଚାନ୍ଦବାଲି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଅଛି। ଏହାଛଡ଼ା ଡ୍ୟାମରୁ ପାଣି ନିଷ୍କାସନ ହେଉଥିବାରୁ ଭଦ୍ରକର କିଛି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ସେହିପରି ଜଳକା ନଦୀର ମାଖନୀ ବ୍ରିଜ୍ ପାଖରେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୬.୮ରୁ ୭ ମିଟର (ବିପଦ ସଂକେତ) ପର୍ଯ୍ୟନ୍ତ ପହଞ୍ଚିପାରେ। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ। ତେବେ ଆସନ୍ତା ୨୪ ଘଣ୍ଟା ପରେ ବନ୍ୟା ପାଣି କମିବା ଆଶା କରାଯାଉଛି।
ଅନ୍ୟପକ୍ଷରେ, ଗତ ସନ୍ଧ୍ୟାରେ ମହାନଦୀରେ ସର୍ବୋଚ୍ଚ ବନ୍ୟାଜଳ ପ୍ରବାହିତ ହୋଇଥିବା ବେଳେ ଆଜି ଦ୍ୱିପ୍ରହର ୧୨ଟା ସୁଦ୍ଧା ଏହା କମିଛି। ମୁଣ୍ଡଳୀଠାରେ ମହାନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ତେବେ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ନିମ୍ନମୁଖୀ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯାଇପାରେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲା ରହିଥିବା ବେଳେ ଆସନ୍ତା ଦୁଇ ଦିନ ଯାଏଁ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଜଣାପଡ଼ିଛି।

hiranchal ad1
Leave A Reply

Your email address will not be published.

eighteen + 12 =