ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ, ବନ୍ୟାରେ ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ସିଧାସଳଖ ପ୍ରଭାବିତ

0 98

ନୂଆଦିଲ୍ଲୀ : ରାଜ୍ୟରେ ହୋଇଥିବା ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ଏହି ସରକାରୀ ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ରାଜ୍ୟର ଅନେକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୮ ଲକ୍ଷରୁ ଅଧିକ ଲୋକ ଏହି ବନ୍ୟାରେ ସିଧାସଳଖ ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୬୩ଟି ବ୍ଲକର ୪୯୨ଟି ଗ୍ରାମ ପଞ୍ଚାୟତ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଅନେକ ଗାଁ ଦୀର୍ଘ ସମୟ ଧରି ଜଳବନ୍ଦୀ ରହିବା ଫଳରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ବନ୍ୟା ପାଣି ମାଡ଼ିଯିବା ଫଳରେ ପ୍ରାୟ ୩୩ ହଜାର ୪୫୦ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି, ଯାହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ସେହିପରି ରାଜ୍ୟରେ ମୋଟ ୧୧୩୨ଟି ଘର ଭାଙ୍ଗିଥିବା ନେଇ ପ୍ରାଥମିକ ଆକଳନ କରାଯାଇଛି ।
ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ବନ୍ୟା ଘେରରୁ ୨ ଲକ୍ଷ ୫୧ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିପନ୍ନଙ୍କୁ ଆଶ୍ରୟ ଦେବା ପାଇଁ ସାରା ରାଜ୍ୟରେ ୫୨୭ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି । ଏହି ସେଣ୍ଟରଗୁଡ଼ିକରେ ବର୍ତ୍ତମାନ ପ୍ରାୟ ୨ ଲକ୍ଷ ୫୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସେବା ଯୋଗାଇ ଦିଆଯାଉଛି । ଆଗାମୀ ଦିନରେ ବନ୍ୟା ଛାଡ଼ିବା ପରେ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରାଯିବ ଏବଂ ପ୍ରଭାବିତଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

three × 4 =