ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନାଙ୍କ ନିଷ୍ପତ୍ତି ଅନୁସାରେ ସମଗ୍ର ଜିଲ୍ଲାରେ ଆଜିଠାରୁ ୩୧ଜୁଲାଇ ପର୍ଯ୍ୟନ୍ତ ୧୦ଦିନିଆ ସଟଡାଉନ ଆରମ୍ଭ ହୋଇଯାଇଛି ଓ ଜନସାଧାରଣଙ୍କ ପକ୍ଷରୁ ଏଥିପାଇଁ ବିପୁଳ ସମର୍ଥନ ଦେଖା ଦେଇଛି । ଆଜି ସକାଳୁ କିଛି କିଛି ସ୍ଥାନରେ ପ୍ୟାକେଟ କ୍ଷୀର ବିକ୍ରୀ ବ୍ୟତୀତ ସବୁପ୍ରକାର ଦୋକାନ ବଜାର ବନ୍ଦ ରହିଛି । ଏହି ସଟଡାଉନର ପରିପାଳନ ଏତେ କଡାକଡି ଭାବେ କରାଯାଉଛି ଯେ ରାସନ ଦୋକାନ ମଧ୍ୟ ବନ୍ଦ ରଖାଯାଇଛି । ଏଥିରେ ଦୁଇଚକିଆ ଯାନ ଚଳାଚଳ ନିଷିଦ୍ଧ କରାଯାଇଥିବାରୁ ଜରୁରୀ କାମ ପାଇଁ ମଧ୍ୟ ଲୋକେ ଚାଲି ଚାଲି ଯିବାଆସିବା କରୁଛନ୍ତି । ସଟଡାଉନ ପରିଚାଳନା ତଦାରଖ ପାଇଁ ପ୍ରମୁଖ ସ୍ଥାନମାନଙ୍କରେ ପୁଲିସ ମୁତୟନ କରାଯାଇଛି । ଦିନସାରା ଜନଗହଳି ରହୁଥିବା ଗୋଲବଜାର ଛକ ଆଜି ଏକଦମ ଶୁନଶାନ୍ ରହିଛି ଓ ସେଠାରେ ମୁତୟନ କିଛି ପୁଲିସ କର୍ମଚାରୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି । ଏପରି ଶୁନସାନ ପରିବେଶ ମଧ୍ୟରେ ଗୋଲବଜାର ଛକ ପାଖରେ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଅବ୍ୟାହତ ରହିଛି ଓ ସେଠାରେ ନିର୍ମାଣ କର୍ମୀଙ୍କ ଭିଡ଼ ଲାଗିରହିଛି । ଏଥିପାଇଁ ନିର୍ମାଣକାରୀ କମ୍ପାନୀକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରିନାହିଁ ।