ଗାନ୍ଧୀଜୀଙ୍କ ଆଦର୍ଶରେ ଆମେ ସ୍ୱଦେଶୀ, ସ୍ୱଚ୍ଛତା ପଥରେ ଅଗ୍ରସର ହେଉଛୁ: ମୁଖ୍ୟମନ୍ତ୍ରୀ

0 66


ଭୁବନେଶ୍ୱର:ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମହାନ ଯୁଗପୁରୁଷ ଦ୍ୱୟଙ୍କ ଅତୁଳନୀୟ ତ୍ୟାଗ, ନୈତିକତା ଏବଂ ଦେଶସେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଚିର ପ୍ରେରଣାର ଉତ୍ସ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ କେବଳ ଭାରତକୁ ସ୍ୱାଧୀନତା ଦେଇ ନଥିଲେ, ବରଂ ସାରା ବିଶ୍ୱକୁ ନୈତିକତା, ସତ୍ୟାଗ୍ରହ ଓ ଅସହଯୋଗ ପରି ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲେ।
ସେ କହିଥିଲେ ଯେ ଗାନ୍ଧୀଜୀଙ୍କ ମୁଖ୍ୟ ସ୍ୱପ୍ନ ଥିଲା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ସେବା କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ସ୍ୱଦେଶୀକୁ ଆପଣାଇବା।
ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଗାନ୍ଧୀଜୀଙ୍କ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି।
ସ୍ୱଚ୍ଛତା ଆଜି ଦେଶରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ସ୍ୱଦେଶୀ ମନ୍ତ୍ର ‘ଆତ୍ମନିର୍ଭର ଭାରତ’ ଗଠନରେ ବଳିଷ୍ଠ ସହାୟକ ହେଉଛି। ସମାଜର ଅନ୍ତିମ ବ୍ୟକ୍ତି ପାଖରେ ବିକାଶ ପହଞ୍ଚାଇବା ପାଇଁ ଆରମ୍ଭ କରାଯାଇଥିବା ‘ଅନ୍ତ୍ୟୋଦୟ ଯୋଜନା’ ମାଧ୍ୟମରେ ଗରିବ ଜନସାଧାରଣଙ୍କୁ ସଶକ୍ତ କରାଯାଉଛି
ସେହିପରି ଶାନ୍ତିଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ସରଳ ଜୀବନ, ଉଚ୍ଚ ଚିନ୍ତାଧାରା ଏବଂ ସଚ୍ଚୋଟତା ସମଗ୍ର ସମାଜ ପାଇଁ ଏକ ଶ୍ରେଷ୍ଠ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶାସ୍ତ୍ରୀଜୀଙ୍କ ନିଃସ୍ୱାର୍ଥପର ଦେଶସେବା ଏବଂ ତାଙ୍କର ‘ଜୟ ଜବାନ, ଜୟ କିଷାନ’ର ଓଜସ୍ୱୀ ଆହ୍ୱାନ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର କରିଥିଲା ବୋଲି ସେ କହିଥିଲେ ।
ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ଏବଂ ଶାସ୍ତ୍ରୀଜୀଙ୍କ କର୍ମନିଷ୍ଠା ଓ ଦେଶସେବାକୁ ଆଦର୍ଶ ରୂପେ ଗ୍ରହଣ କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ କରିବା ପାଇଁ ଆମର ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସର୍ବଧର୍ମ ପ୍ରାର୍ଥନା ସଭା ଏଵଂ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୂନ ପରିବେଷଣ କରାଯାଇଥିଲା ।
ବିଧାନସଭା ପରିସରରେ ଆୟୋଜିତ ପ୍ରାର୍ଥନା ସଭାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ଶାସକ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − 6 =