ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ନେଇ ସରିଲା ପ୍ରଚାର । ଆସନ୍ତାକାଲି ବଛା ହେବେ ଛାତ୍ର ନେତା । ଛାତ୍ର ସଂସଦ ନିର୍ବାଚନ ନେଇ ଅପିଲ୍ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସବୁ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ । ବିନା ହିଂସାରେ ନିର୍ବାଚନ ଶେଷ କରିବାକୁ ନିବେଦନ ।
ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଦିଆଯାଇଛି । ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ପୁଣିଥରେ ଆରମ୍ଭ କରାଯାଉଛି । ତେଣୁ ଏହି ନିର୍ବାଚନରେ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସମସ୍ତଙ୍କୁ ଶୁଭେଚ୍ଛା । ଆସନ୍ତାକାଲି ସମାଜ, ରାଜ୍ୟ ଓ ଦେଶକୁ ନେତୃତ୍ୱ ଦେବାରେ ସହାୟକ ହେବ । ତେଣୁ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ ନିର୍ବାଚନ ହେଉଛି, ସେଠାକାର ଛାତ୍ରଛାତ୍ରୀ ବିନା ହିଂସାରେ ଗଣତନ୍ତ୍ରର ଏହି ଅନୁଭବରେ ସାମିଲ ହୁଅନ୍ତୁ । ଶାନ୍ତି ଓ ଶୃଙ୍ଖଳାର ସହ ନିଜର ମତଦାନ କରନ୍ତୁ ।
ଆସନ୍ତାକାଲିର ନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି । ଏହି କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ନିର୍ବାଚନ ପ୍ରକ୍ରିୟା ଉପରେ ନିୟମିତ ନଜର ରଖାଯାଇଛି । ନିର୍ବାଚନ କିପରି ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମାପ୍ତ ହେବ, ସେଥିପାଇଁ ନିରନ୍ତର ନିରୀକ୍ଷଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
