ଭୁବନେଶ୍ୱର: ଶହେ ଦିନରେ ୧୦୦ ଘର ନିର୍ମାଣ ସ୍ୱପ୍ନକୁ ପୂରଣ କରିବେ ସରକାର । ସହରାଞ୍ଚଳରେ ବାସ କରୁଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ମିଳିବ ଶସ୍ତାରେ ଘର । ଏନେଇ ବିଏମ୍ସି ପକ୍ଷରୁ ହଂସପାଳରେ ପିପିପି ମୋଡ୍ ରେ ନିର୍ମାଣ ହେବାକୁ ଯାଉଛି ନୂଆ ହାଉସିଂ ପ୍ରକଳ୍ପ । ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଘର ଦେବାକୁ ଅଣ୍ଟା ଭିଡିଛି ବିଏମ୍ସି । ଏନେଇ ପ୍ରଥମ ପର୍ଯ୍ୟାୟରେ ୪୧୫ଟି ୨ ବିଏଚକେ ବିଶିଷ୍ଟ ଘର ନିର୍ମାଣ ହେବ । ଏହି ଫ୍ଲାଟ୍ ର ଦର ରହିବ ୧୦.୩୯ ଲକ୍ଷ ଟଙ୍କା । ବିଲ୍ଟଅପ୍ ଏରିଆ ୫୨୭. ୪୪ ବର୍ଗଫୁଟ ରହିଥିବା ବେଳେ କାର୍ପେଟ ଏରିଆ ୩୭୬. ୭୪ ବର୍ଗ ଫୁଟ୍ ରହିଛି । ମାଷ୍ଟର ବେଡ୍ ରୁମ୍ ୧୦ ଫୁଟ୍ରେ ୧୦ ଫୁଟ, ଦ୍ୱିତୀୟ କୋଠରୀ ୭ ଫୁଟ୍ରେ ୯ ଫୁଟ । ଲିଭଙ୍ଗ୍ ରୁମ୍ ୧୧ ଫୁଟ୍ରେ ୯ ଫୁଟ, ରୋଷେଇ ଘର ୬ରେ ୫ ଫୁଟ ରହିଛି । ଏହା ସହ ସେଠାରେ ଖେଳପଡିଆ, ଦୋକାନ ଘର ସହ କମ୍ୟୁନିଟି ସେଣ୍ଟର ରଖାଯାଇଛି । ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ଷ୍ଟ୍ରିଟ୍ ଲାଇଟ୍ ଆଦି ବ୍ୟବସ୍ଥା ରଖାଯାଇଛି । ଏହି ପ୍ରକଳ୍ପ କଟକ-ଭୁବନେଶ୍ୱର ଜାତୀୟ ରାଜପଥ କଡରେ ରହିଛି ।

ଗତ ଶନିବାର ବିଏମ୍ସି ପକ୍ଷରୁ ବସିଥିବା ବୈଠକରେ ଏହି ପ୍ରକଳ୍ପ ଉପରେ ମୋହର ବାଜିଛି । ଘର ନିର୍ମାଣର ସମ୍ପୂର୍ଣ୍ଣ ଦାୟିତ୍ୱ ଏକ ଘରୋଇ କମ୍ପାନି ନେଇଛି । ଏହି ସଂସ୍ଥା ପିପିପି ମୋଡ୍ରେ ଘର ନିର୍ମାଣ କରି ଯୋଗାଇବ । ଘର ବୁକିଂ ପାଇଁ ୧୦ ହଜାର ଟଙ୍କା ରଖାଯାଇଛି । ଏହାର ପରବର୍ତ୍ତୀ ନିର୍ମାଣ ସହିତ କିସ୍ତିରେ ଟଙ୍କା ଦାଖଲ କରିବାକୁ ପଡିବ । ଏହା ପରେ ଘର ହସ୍ତାନ୍ତର କରାଯିବ । ବିଏମ୍ସି ପକ୍ଷରୁ ଘର ଆବେଦନ କରିବାକୁ ସର୍ତ୍ତ ରଖଯାଇଛି । ଆବେଦନକାରୀ ଭୁବନେଶ୍ୱର ଅଞ୍ଚଳରେ ବାସ କରୁଥିବା ନିହାତି ଜରୁରୀ । ଏହା ସହ ବାର୍ଷିକ ଆୟ ୬ ଲକ୍ଷ ଟଙ୍କାରୁ କମ୍ ଥିବା ଜରୁରୀ ।
