ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଲେ ରାଷ୍ଟ୍ରପତି

0 43

ଭୁବନେଶ୍ବର, ୨୫/୧୧: ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପରିସରରେ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ ଆୟୋଜିତ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ହୋମିଓପାଥିକ ଶିକ୍ଷା ଓ ଗବେଷଣାରେ ବୈଜ୍ଞାନିକ ଦୃଷ୍ଟିକୋଣ, ସ୍ୱଚ୍ଛତା ଏବଂ ମାନବିକ ସେବା ଉପରେ ଗୁରୁତ୍ୱାରୋପ କରିଥିଲେ । ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଶା ଓ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି । ହୋମିଓପାଥିର ବିକାଶ ପାଇଁ ବୈଜ୍ଞାନିକ ଅନୁସନ୍ଧାନ, ବ୍ୟବସ୍ଥିତ ଡକ୍ୟୁମେଣ୍ଟେସନ, ପାରଦର୍ଶି ରିପୋର୍ଟିଂ ଏବଂ ନିର୍ଭରଯୋଗ୍ୟ କ୍ଲିନିକାଲ ଡାଟାବେସ ଅତ୍ୟନ୍ତ ଜରୁରୀ । ଗବେଷଣାରେ ପ୍ରତିକୂଳ ଫଳାଫଳ ଓ ସୀମିତତାକୁ ସ୍ୱୀକାର କରିବାରେ ବୌଦ୍ଧିକ ସଚ୍ଚୋଟତା ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଆଇ, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି, ଜେନୋମିକ୍ସ ଓ ବିଗ୍ ଡାଟା ଆନାଲିଟିକ୍ସ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣୁଥିବା ବେଳେ, ମାନବିକ ସମବେଦନା ଚିକିତ୍ସାର ମୂଳଦୂଆ ହୋଇ ରହିବା ଉଚିତ୍ । ପ୍ରତ୍ୟେକ ରୋଗୀଙ୍କ ପଛରେ ଜଣେ ମଣିଷ ରହିଛି, ଯାହାର ଆଶା, ଭୟ ଓ ଆତ୍ମସମ୍ମାନ ରହିଛି । ଏହାକୁ କେବେ ବି ଭୁଲିବା ଉଚିତ୍ ନୁହେଁ ବୋଲି ସତର୍କ କରାଇଥିଲେ ମ୍ୟାଡାମ୍ ମୁର୍ମୁ ।

hiring


‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବୋଲି ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଯେ, ଧନସମ୍ପତ୍ତି ଥିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ନଥିଲେ ତାହାର କୌଣସି ମୂଲ୍ୟ ରହେ ନାହିଁ । ଶିକ୍ଷା ଓ ସ୍ୱାସ୍ଥ୍ୟକୁ ମନୁଷ୍ୟ ବିକାଶର ଦୁଇ ପ୍ରମୁଖ ସ୍ତମ୍ଭ ଭାବେ ଦର୍ଶାଇ ସେ ଗ୍ରାମାଞ୍ଚଳର ଲୋକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଆହ୍ୱାନ ଜଣାଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ।
ଅନ୍ୟପଟେ ସଭାକାର୍ଯ୍ୟ ଆରମ୍ଭରେ ଡକ୍ଟର ଏସି.ଏଚ୍.ଏମ୍.ସି.ଏଚ୍, ଭୁବନେଶ୍ୱରର ଅଧ୍ୟକ୍ଷା ଡାକ୍ତର ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଦ୍ୱାରା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ର ସ୍ମରଣିକା “AUDE SAPERE” ଉନ୍ମୋଚନ କରାଯାଇଥିଲା ଏବଂ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ରାଜ୍ୟପାଳ । ​ଆଜିଠାରୁ (ନଭେମ୍ବର ୨୫ ତାରିଖ) ତିନିଦିନ ଅର୍ଥାତ୍ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ । ​ଏହି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ୭୦୦ ଜଣ ପ୍ରତିନିଧି ସାମିଲ୍ ହେବେ ।
​ସମ୍ମିଳନୀରେ ଜାତୀୟ ହୋମିଓପାଥି ଆୟୋଗ ର ଅଧ୍ୟକ୍ଷ ଡାକ୍ତର ତାରକେଶ୍ୱର ଜୈନ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସମ୍ବଳ ବ୍ୟକ୍ତି ଡାକ୍ତର ଫାରୁକ୍ ଜେ. ମାଷ୍ଟର ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଭୁବନେଶ୍ୱର ସାଂସଦ, ଜାତୀୟ ହୋମିଓପାଥି କମିଶନର ଅଧ୍ୟକ୍ଷ, କଲେଜ ଅଧ୍ୟକ୍ଷାଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ବୈଜ୍ଞାନିକ, ଗବେଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × three =