ଡ୍ରାଏ-କ୍ଲିନ୍ ହୋଇଥିବା ପୋଷାକ ପିନ୍ଧୁଛନ୍ତି କି? ସାବଧାନ! ଶରୀରକୁ ପଶିପାରେ ବିଷ

0 533

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତେ ସେମାନଙ୍କ ପୋଷାକ ସଫା କରିବା ପାଇଁ ଡ୍ରାଏ-କ୍ଲିନ୍‌ର ସାହାଯ୍ୟ ନେଉଛନ୍ତି।  ସାଧାରଣ ଡ୍ରେସ୍ ନୁହେଁ, ଟିକେ ଦାମୀ ପୋଷାକ ହୋଇଥିଲେ ଅଧିକାଂଶ ଡ୍ରାଏ-କ୍ଲିନ୍ କରୁଛନ୍ତି। ଦାମୀ ଶୀତ ବସ୍ତ୍ର ଓ କମ୍ବଳ ଆଦିକୁ ମଧ୍ୟ ସଫା କରିବା ପାଇଁ ଆମେ ଡ୍ରାଏ-କ୍ଲିନ୍‌ର ସାହାଯ୍ୟ ନେଉଛୁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଡ୍ରାଏ-କ୍ଲିନ୍‌ ଦ୍ୱାରା ସଫା ହୋଇଥିବା ପୋଷାକ ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇପାରେ? ‘ଟକ୍ସିକ୍ ଲିଙ୍କ୍’ ନାମକ ଏକ ଏନ୍‌ଜିଓ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟର ତଥ୍ୟ ଜାଣିଲା ପରେ ଆପଣ ହୁଏତ ଡ୍ରାଏ-କ୍ଳିନ୍‌ କରିବା ପୂର୍ବରୁ ଆଉ ଥରେ ଭଲ ଭାବେ ଚିନ୍ତା କରିବେ। କାରଣ ଏହି ରିପୋର୍ଟ ମୁତାବକ ଡ୍ରାଏ-କ୍ଲିନ୍ ଦ୍ୱାରା ଆପଣଙ୍କ ପୋଷାକ ‘ପରକ୍ଳୋରୋଇଥାଇଲିନ୍‌’ (Perchloroethylene) ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିଯାଇପାରେ। ଆଉ ଏହା କ୍ୟାନସରର କାରଣ ହୋଇପାରେ। ଏହା ସହିତ କିଡ୍‌ନୀ ଓ ଲିଭରକୁ ବି ଏହା ପ୍ରଭାବିତ କରିପାରେ। ଶରୀର ଓ ମସ୍ତିଷ୍କର ଅଧିକାଂଶ କାର୍ଯ୍ୟକୁ ନିୟନ୍ତ୍ରଣ  କରୁଥିବା ସେଣ୍ଟ୍ରାଲ୍ ନର୍ଭସ ସିଷ୍ଟମ (ସିଏନ୍‌ଏସ୍‌) ଉପରେ ବି ଏହାର କୁପ୍ରଭାବ ପଡ଼ିପାରେ।

‘ପରକ୍ଳୋରୋଇଥାଇଲିନ୍‌’ କୁ PERC ବି କୁହାଯାଏ। ଏହି ବିଷାକ୍ତ କେମିକାଲ୍ ବା ରାସାୟନିକ ପଦାର୍ଥକୁ ଡ୍ରାଏ-କ୍ଲିନ୍ ପ୍ରକ୍ରିୟାରେ ବ୍ୟବହାର କରାଯାଏ। ଶରୀର ଓ ପରିବେଶ ପାଇଁ ଏହି କେମିକାଲ୍ ହେଉଛି ଜହର।

‘Cleaning Clothes: but what about environment and health’ ନାମକ ରିପୋର୍ଟରେ ‘ଟକ୍ସିକ୍ ଲିଙ୍କ୍’ ପକ୍ଷରୁ କୁହାଯାଇଛି ଯେ ସେମାନେ ଦିଲ୍ଲୀ ଓ କୋଲକାତାରୁ ଯେତିକି ଡ୍ରାଏ-କ୍ଲିନ୍ ପୋଷାକର ନମୁନା ସଂଗ୍ରହ କରିଥିଲେ ସେଥିରୁ ୭୫ ପ୍ରତିଶତରେ ‘ପରକ୍ଳୋରୋଇଥାଇଲିନ୍‌’ ଥିବା ଜଣାପଡ଼ିଥିଲା। ଏହି ଦୁଇ ସହରର ବିଭିନ୍ନ ଡ୍ରାଏ-କ୍ଲିନ୍ ଦୋକାନରୁ ମୋଟ ୨୦ଟି ପୋଷାକ ସଂଗ୍ରହ କରାଯାଇଥିଲା। ସେଥିରୁ ୧୫ଟିରେ ଏହି ବିଷାକ୍ତ ପଦାର୍ଥ ମିଳିଥିଲା। ଏହି ୧୫ଟି ପୋଷାକରେ  ୧.୩ ମିଲିଗ୍ରାମରୁ ଆରମ୍ଭ କରି ୧୦୧ ମିଲଗ୍ରାମ ପର୍ଯ୍ୟନ୍ତ ‘ପରକ୍ଳୋରୋଇଥାଇଲିନ୍‌’ ମିଳିଥିଲା। ପୋଷାକରେ କେତେ ପରିମାଣରେ ‘ପରକ୍ଳୋରୋଇଥାଇଲିନ୍‌’ ରହିଲେ ଶରୀର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ସେନେଇ ଭାରତରେ କୌଣସି ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ନାହିଁ।  ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଲଗାତାର ଭାବେ ଡ୍ରାଏ-କ୍ଲିନ୍ ଦ୍ୱାରା ସଫା ହେଉଥିବା ପୋଷାକ ପିନ୍ଧିବା ବିପଜ୍ଜନକ ହୋଇପାରେ। ଏହା ଦ୍ୱାରା କିଡ୍‌ନୀ, ଲିଭର ଓ ନର୍ଭସ ସିଷ୍ଟମ ଗୁରୁତର ଭାବେ ପ୍ରଭାବିତ ହେବ।

hiring

କେବଳ ଡ୍ରାଏ-କ୍ଲିନ୍ ପୋଷାକ ପିନ୍ଧୁଥିବା ଲୋକ ନୁହଁନ୍ତି,  ଏହି ରିପୋର୍ଟରେ କୁହାଯାଇଛି ଯେ ଡ୍ରାଏ-କ୍ଲିନ୍ ୟୁନିଟ୍ ଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କ ଜୀବନ ପ୍ରତି ବି ବିପଦ ରହିଛି। କାରଣ ସେମାନେ ପ୍ରତିଦିନ  ‘ପରକ୍ଳୋରୋଇଥାଇଲିନ୍‌’ ସଂସ୍ପର୍ଶରେ ଆସୁଛନ୍ତି। ସଚେତନତା ଅଭାବରୁ ହେଉ ଅବା ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ହେଉ, ସେମାନେ ଏହି ବିଷାକ୍ତ ରସାୟନିକ ସଂସ୍ପର୍ଶରେ ଆସନ୍ତି।

‘ଟକ୍ସିକ୍ ଲିଙ୍କ୍’ ପକ୍ଷରୁ ଆହୁରି କୁହାଯାଇଛି ଯେ ଏହି ଦୁଇ ସହରରେ ଡ୍ରାଏ-କ୍ଲିନ୍ ୟୁନିଟ୍ ଚଲାଉଥିବା ବ୍ୟକ୍ତିମାନେ ନିୟମ ସଂପର୍କରେ ସଚେତନ ନାହାଁନ୍ତି। ତେଣୁ ସେମାନେ ଡ୍ରାଏ-କ୍ଳିନ୍ କରିବା ବେଳେ ହେଉ ଅବା ଗ୍ରାହକଙ୍କୁ ପୋଷାକ ଦେଲା ବେଳେ କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତି ନାହିଁ।

hiranchal ad1
Leave A Reply

Your email address will not be published.

thirteen − 7 =