ନୂଆଦିଲ୍ଲୀ: ପୁଣିଥରେ ସୁଧହାର ବା ରେପୋରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆରବିଆଇ ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ରେପୋ ରେଟ ୫.୯%ରେ ପହଞ୍ଚି ଯାଇଛି । ତତ୍କାଳ ଭାବେ ଏହି ବର୍ଦ୍ଧିତ ନିଷ୍ପତ୍ତି ଲାଗୁ କରିବାକୁ ଆରବିଆଇ କହିଛି । ଏହାର ଅର୍ଥ ଏବେ ସାଧାରଣ ଲୋକଙ୍କୁ ସେମାନଙ୍କ ଋଣ ପାଇଁ ଅଧିକ ପରିମାଣର ଇଏମଆଇ ଦେବାକୁ ପଡିବ । କ୍ରମାଗତ ୪ର୍ଥ ଥର ପାଇଁ ଆରବିଆଇ ସୁଧହାର ବଢାଇଛି । ଅଗଷ୍ଟ ମାସରେ ଆରବିଆଇ ରେପୋ ରେଟ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା । ମେ’ରେ ଏହା ୪୦ ବେସିସ ପଏଣ୍ଟ ଓ ଜୁନରେ ରେପୋ ରେଟ୍ ୫୦ ବେସିସ ପଏଣ୍ଟ ବଢି ୪.୯୦% ହୋଇଥିଲା । ସେପ୍ଟେମ୍ବର ୨୮ରୁ ୩ଦିନ ଧରି ଦେଶର ଆର୍ଥିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ମନିଟାରୀ ପଲିସି କମିଟିର ବୈଠକ ବସିଥିଲା । ଏହି ବୈଠକରେ ସ୍ଥିତି ଉପରେ ସମୀକ୍ଷା କରାଯାଇଥିଲା । ଏହାପରେ ରେପୋ ରେଟ୍କୁ ଆଉ ୫୦ ବେସିସ ପଏଣ୍ଟ ବୃଦ୍ଧି କରାଯାଇଛି । ଆରବିଆଇ ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୭ % ରହିବ ବୋଲି ଆକଳନ କରିଛି । ସାଧାରଣତଃ ମୁଦ୍ରାସ୍ଫୀତି ୨ରୁ ୬% ମଧ୍ୟରେ ରହିବା ଅର୍ଥନୀତି ପାଇଁ ଭଲ ଖବର । ହେଲେ ଏହା ୬.୭% ରହିବା ଆଦୌ ଶୁଭଙ୍କର ନୁହେଁ ବୋଲି ଅର୍ଥନୀତିକ ବିଶାରଦମାନେ ମତ ଦେଇଛନ୍ତି । ଏପ୍ରିଲ ମାସରେ ଦେଶର ମୁଦ୍ରାସ୍ଫୀତି ୮ ବର୍ଷର ରେକର୍ଡ ଭାଙ୍ଗି ୭.୭୯% ରହିଥିଲା । ମୁଦ୍ରାସ୍ଫୀତି ୬.୭% ରହିବ ବୋଲି ଆରବିଆଇ କହିଥିଲେ ମଧ୍ୟ ଅଭିବୃଦ୍ଧ ହାରକୁ ହ୍ରାସ କରିଛି । ପୂର୍ବରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ୭.୨% ରହିବ ବୋଲି ଆରବିଆଇ କହିଥିଲା । ହେଲେ ଏବେ ଏହାକୁ ୭%କୁ କମାଇ ଦିଆଯାଇଛି । ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଓ ଆଉ ବାକି ଯେତେସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ । ସାଧାରଣ ଲୋକଙ୍କର ଆରବିଆଇ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ । ଜରୁରୀ ସମୟରେ ଆମେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡିକର ଆବଶ୍ୟକତା ଉପୁଜିଲେ ଆରବିଆଇ ଠାରୁ ଋଣ ଆଣନ୍ତି । ଏହା ବଦଳରେ ଆରବିଆଇ ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ । ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ । କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ । ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ । ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ପୁଣି ରେପୋରେଟ ବଢାଇଥିବାରୁ ତାହାକୁ ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।