ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଗୁଜରାଟ ବିଧାନସଭାର ମୋଟ ୧୮୨ ଆସନ ପାଇଁ ନିର୍ବାଚନ ହେବ । ୩୩ଟି ଜିଲ୍ଲାର ମୋଟ ୪ କୋଟି ୯୦ ଲକ୍ଷ ଭୋଟର ଭୋଟ ଦେବେ ।
ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ମଧ୍ୟରେ ନାମାଙ୍କନପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।