“କନ୍ଧମାଳ ଅଞ୍ଚଳ ମୋର ଦ୍ୱିତୀୟ ଘର”

0 453

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ “ହୀରାଞ୍ଚଳ’ର ବିଶେଷ ସାକ୍ଷାତକାର

ଆଉ ଦିନ କେଇଟା ଗଲେ ସାଧାରଣ ନିର୍ବାଚନ । ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେଉଛି । ଦଳମାନେ ପ୍ରସ୍ତୁତ, ପ୍ରାର୍ଥୀମାନେ ବି ପ୍ରସ୍ତୁତ ହେଲେ ଆମ ଭୋଟରମାନେ କେତେ ପ୍ରସ୍ତୁତ ଅଛନ୍ତି, ତାହା ଦେଖିବାକୁ ବାକି ରହିଲା । ତେବେ ଆମେ ଆମକୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ନେତାମାନଙ୍କୁ କେତେ ଜାଣୁ? ବିଶେଷକରି, ସେମାନଙ୍କ ବ୍ୟକ୍ତିତ୍ୱ, ଅସ୍ତିତ୍ୱ ତଥା ଅତୀତ ବାବଦରେ ଆମ ଭୋଟରଙ୍କୁ କେତେ ଜଣା ଅଛି? ଆମର ବିଶ୍ୱାସ ପ୍ରାର୍ଥୀମାନଙ୍କ ବାବଦରେ ସମସ୍ତଙ୍କର ଜାଣିବାର ଅଧିକାର ନିଶ୍ଚିତ ରହିଛି । ପଶ୍ଚିମ ତଥା ଦକ୍ଷିଣ ଓଡ଼ିଶାର ଏକ ବହୁପଠିତ ଓ ଦାୟିତ୍ୱସମ୍ପନ୍ନ ଖବରକାଗଜ ହିସାବରେ ଆମର ପାଠକ ଓ ଅଞ୍ଚଳବାସୀଙ୍କୁ ଏଠିକାର ପ୍ରାର୍ଥୀମାନଙ୍କ ବାବଦରେ ସଠିକ ସୂଚନା ଦେବା ଆମର କର୍ତ୍ତବ୍ୟ ତଥା ଦାୟିତ୍ୱ ମଧ୍ୟ। ଆଜି ଏହି କ୍ରମରେ କନ୍ଧମାଳ ଲୋକସଭା ଆସନ ନିମନ୍ତେ ଶାସକ ବିଜେଡି ଦଳ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବା ଡ଼ ଅଚ୍ୟୁତ ସାମନ୍ତଙ୍କ ବାବଦରେ ଆଲୋଚନା କରିବାକୁ ଯାଉଛୁ । ଏହି ଆଲେଖ୍ୟରେ ଆମେ ତାଙ୍କର ଜୀବନ, ବ୍ୟକ୍ତିତ୍ୱ, ବୃତ୍ତି, କାର୍ଯ୍ୟପନ୍ଥା, ଦୃଷ୍ଟି ଓ ଯୋଜନା ବାବଦରେ ସମ୍ୟକ ଆଲୋକପାତ କରିବାକୁ ଚେଷ୍ଟା କରିଛୁ । ଏଥିସହ ତାଙ୍କର ଏକ ସଂକ୍ଷିପ୍ତ ସାକ୍ଷାତକାର ସମେତ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ଅଞ୍ଚଳବାସୀଙ୍କ ମତାମତକୁ ମଧ୍ୟ ପାଠକଙ୍କ ସମ୍ମୁଖରେ ରଖୁଛୁ । ଡ. ଅଚ୍ୟୁତ ସାମନ୍ତଙ୍କ ବାବଦରେ କିଏ ବା ନ ଜାଣେ? ଅଚ୍ୟୁତ ତାଙ୍କର ଦୀର୍ଘଦିନର ସମାଜ ମଙ୍ଗଳ କାର୍ଯ୍ୟକଳାପ ଯୋଗୁଁ ସାରା ବିଶ୍ୱରେ ପରିଚିତ । ବିଶେଷକରି ଓଡ଼ିଶାର ସମଗ୍ର ଆଦିବାସୀ ବହୁଳ ରାଜ୍ୟଗୁଡିକରେ ସେ ଏକ ଅତି ପରିଚିତ ବ୍ୟକ୍ତିତ୍ୱ । ଶିକ୍ଷା, ସ୍ୱ।।ସ୍ଥ୍ୟ, କ୍ରୀଡା, ସାହିତ୍ୟ, ସଂସ୍କୃତି, ସମାଜସେବା, ଆଦିବାସୀ କଲ୍ୟାଣ, ଯୁବ ଓ ମହିଳା ସଶକ୍ତିକରଣ, ନିଯୁକ୍ତି, ଏକ ସୁସ୍ଥ ଏବଂ ସମ୍ପନ୍ନ ସମାଜ ନିର୍ମାଣ ନିମନ୍ତେ ଯାହାଯାହା ଆବଶ୍ୟକୀୟ ସେ ସମସ୍ତ କ୍ଷେତ୍ରରେ ପ୍ରଫେସର ଅଚ୍ୟୁତ ସାମନ୍ତ ସଂପୂର୍ଣ୍ଣ ସମର୍ପିତ ଭାବରେ ନିଜର ଯୋଗଦାନ ଜାରି ରଖିଛନ୍ତି । ତାଙ୍କର ଏହି ଅସାମାନ୍ୟ ପାରଦର୍ଶିତା ଓ ନିଷ୍ଠାକୁ ସମ୍ମାନ ଜଣାଇ ଓଡିଶାର ଶାସକ ଦଳ ତରଫରୁ ଡ ସାମନ୍ତକୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ୨୦୧୮ରେ ପ୍ରଫେସର ସାମନ୍ତ ନିର୍ଦ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ସାଂସଦ ଭାବେ କାର୍ଯ୍ୟରତ ଅଛନ୍ତି । ଏ ସବୁକିଛି ବାଦ, ଜଣେ ଦରଦୀ, ପରୋପକାରୀ, ସରଳ ତଥା ନିଷ୍କପଟ ମଣିଷ ଭାବରେ ଶ୍ରୀଯୁକ୍ତ ସାମନ୍ତଙ୍କର ଖୁବ୍ ଖ୍ୟାତି ରହିଛି । ବିଶ୍ୱର ସର୍ବ ବୃହତ ଆଦିବାସୀ ଅନୁଷ୍ଠାନ ତଥା ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟ କିସ୍ ଓ ଦେଶର ଅନ୍ୟତମ ସମ୍ଭ୍ରାନ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ କିଟ୍ର ପ୍ରତିଷ୍ଠାତାଙ୍କୁ ଭେଟିଥିଲେ ଆମ ସମ୍ପାଦକ ଯୁଗଳ କିଶୋର ସାମଲ ।

hiring

ସମ୍ପାଦକ : ଶ୍ରୀଯୁକ୍ତ ସାମନ୍ତ, ଆପଣଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଧାରାକୁ ଦୃଷ୍ଟିରେ ରଖି ଶାସକଦଳ ତରଫରୁ ଆପଣଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରାଯାଇଥିଲା । ଏବେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାକୁ ଯାଉଛନ୍ତି । ରାଜ୍ୟସଭାରୁ ଲୋକସଭା! କ’ଣ ରହିବ ପ୍ରତିକ୍ରିୟା?
ଶ୍ରୀଯୁକ୍ତ ସାମନ୍ତ : ଦେଖନ୍ତୁ, ଏ ବାବଦରେ ମୁଁ ଆଗରୁ ଅନେକ ବାର କହିଛି । ଏବେ ମଧ୍ୟ ସେଇ କଥା ଦୋହରାଉଛି । ସମାଜସେବା ମୋର ନିଶା, ପେଷା, ବେଉଷା, ଜୀବନ, ସବୁ କିଛି । ସାରା ଜୀବନ ମୁଁ ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇ କାମ କରିଆସିଛି । ଏବେ କେବଳ ଯାହା ଭୂମିକା ବଦଳିଛି । ବଡକଥା ହେଲା ମୋ’ କାମ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଶ୍ରଦ୍ଧା ଓ ସ୍ୱୀକୃତି ରହିଛି ସେଥିପାଇଁ ମୁଁ ତାଙ୍କପାଖେ କୃତଜ୍ଞ । ବାକି ରହିଲା, ରାଜ୍ୟସଭା ସାଂସଦ ଭାବେ ଲୋକଙ୍କ ସେବା ତ କରୁଥିଲି, ହେଲେ ଲୋକସଭା ସାଂସଦ ହେଲେ ସାଧାରଣଲୋକଙ୍କ ସହିତ ରହି ସେମାନଙ୍କ ସୁଖଦୁଃଖରେ ପ୍ରତ୍ୟକ୍ଷ ସାମିଲ ହୋଇ ସେମାନଙ୍କ ପାଇଁ କାମ କରିବାର ସୁଯୋଗ ମିଳିବ । ଏହା ଦ୍ୱାରା ମୁଁ ଆହୁରି ଲୋକଙ୍କ କାମରେ ଆସିପାରିବି ବୋଲି ଦୃଢ ବିଶ୍ୱାସ ରଖିଛି ।
ସମ୍ପାଦକ : ଆପଣ ଜଣେ ଶିକ୍ଷାବିତ ଭାବେ ବିଶ୍ୱବିଦିତ! ଏବେ ରାଜନେତା! ଏ ସମନ୍ୱୟକୁ ଆପଣ କିପରି ଦେଖନ୍ତି? ପ୍ରତ୍ୟକ୍ଷ ରାଜନୀତି ଆପଣଙ୍କ ଲାଗି କିଛି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ଭାବୁଛନ୍ତି କି?
ଶ୍ରୀଯୁକ୍ତ ସାମନ୍ତ: ସିଧା ଉତ୍ତର ହେଲା ଏହା ମୋ ପାଇଁ ଆଦୌ ଏକ ଚ୍ୟାଲେଞ୍ଜ ନୁହେଁ । ତା ଛଡା ମୋ’ ଆପଣା ଜୀବନ ହିଁ ତ ଗୋଟେ ବିରାଟ ଚ୍ୟାଲେଞ୍ଜ । ମାତ୍ର ·ରି ବର୍ଷ ବୟସରେ ଦୁନିଆ କ’ଣ ଜାଣିବା ପୂର୍ବରୁ ବାପଛେଉଣ୍ଡ ହୋଇ ଦୁନିଆ ସହ ଏକାଏକା ଜୁଝିଛି! ଉକ୍ରଟ ଦାରିଦ୍ର୍ୟ ଭିତରେ ମୋର ପିଲାଦିନ ଓ ଯୁବାବସ୍ଥା କଟିଛି । ପିତା, ସ୍ୱର୍ଗତ ଅନାଦି ଚରଣଙ୍କର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଦେହାନ୍ତ ହେବା ପରେ ୭ ପୁଅଝିଅଙ୍କ ଦାୟିତ୍ୱ ଏକା ମା’ ନୀଳିମାରାଣୀଙ୍କ ଉପରେ ଥିଲା । ସ୍ୱଳ୍ପସଞ୍ଚୟ ଓ ବିନା ରୋଜଗାରରେ ପରିବାର ଚଳେଇବାରେ ମା’ଙ୍କ କଷ୍ଟ ସହି ନପାରି କଞ୍ଚା ବୟସରେ ନିଜେ ମଜୁରି ଖଟିଛି । ଏତେ ଅଭାବ ଓ ଅନଟନକୁ ଭୃକ୍ଷେପ ନକରି ପାଠ ପଢିଛି, ନିଜ ବାଟ ନିଜେ ତିଆରି କରିଛି । ନବେ ଦଶକର ଓଡିଶା ଭଳି ଏକ ପଛୁଆ ରାଜ୍ୟରେ ମାତ୍ର ପାଞ୍ଚ ହଜାର ଟଙ୍କାର ମୂଳପୁଞ୍ଜିରେ କିଟ୍ ଓ କିସ୍ ଭଳି ଅନୁଷ୍ଠାନ ଗଢି ତାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଏକ ଆହ୍ୱାନ ନୁହେଁ ତ ଆଉ କ’ଣ! ମୋତେ ଚ୍ୟାଲେଞ୍ଜ ଭଲ ଲାଗେ । ବିନା କିଛି ଭୟ ଓ ଭାବନାରେ ଯେକୌଣସି ଆହ୍ୱାନକୁ ଦୃଢତାର ସହ ସାମ୍ନାକରି ତାକୁ ସୁଯୋଗରେ ପରିଣତ କରିବା ମୋର ଚରିତ୍ର । ହଁ, ଏହି ବିଶେଷ ଗୁଣଟିକୁ ମୋ’ ପ୍ରତି ଈଶ୍ୱରଙ୍କ କୃପା ଓ ମୋ’ ମାଆଙ୍କ ଆଶୀର୍ବାଦ ବୋଲି ମୁଁ ଭାବେ ।

ସମ୍ପାଦକ: ତେବେ କନ୍ଧମାଳକୁ କାହିଁକି ବାଛିଲେ?
ଶ୍ରୀଯୁକ୍ତ ସାମନ୍ତ: ମୁଁ ବାଛି ନାହିଁ, ମାନ୍ୟବର ନବୀନ ବାବୁ ମୋତେ ଏହି ଆସନ ପାଇଁ ବାଛିଛନ୍ତି । ତାଙ୍କର ଦୀର୍ଘଦିନର ଶାସନ କାଳରେ ରାଜ୍ୟରେ ଆଶାତୀତ ବିକାଶ ଘଟିଛି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ଭିତ୍ତିଭୂମିର ବିକାଶ ହୋଇଛି । ତଥାପି ଅନେକ କିଛି କରିବାକୁ ବାକି ରହିଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋର ନିଷ୍ଠା ଓ ଝୁଙ୍କକୁ ଜାଣନ୍ତି । ମୁଁ ଯେଉଁ କାମରେ ହାତଦିଏ ତାକୁ ସର୍ବଶ୍ରେଷ୍ଠ ନକରିବା ଯାଏ ଶାନ୍ତିରେ ରହିପାରେ ନାହିଁ । ଏହି ଲୋକସଭା ଆସନ ଅନ୍ତର୍ଗତ ଅନୁନ୍ନତ ଅଞ୍ଚଳଗୁଡ଼ିକର ସଂପୂର୍ଣ୍ଣ ବିକାଶ ମୋ’ ମାଧ୍ୟମରେ ପ୍ରଭାବୀ ଢଙ୍ଗରେ ସମ୍ଭବପର ବୋଲି ନବୀନ ବାବୁ ଆସ୍ଥା ପ୍ରକଟ କରିଛନ୍ତି । ତା’ ଛଡା ଦୀର୍ଘ ୪୦ ବର୍ଷ ଧରି ଏହି ଅଞ୍ଚଳ ସହ ମୋର ସମ୍ପର୍କ ଏଠିକାର ଗଳିକନ୍ଦି ମୁଁ ବୁଲିଛି । ଲୋକଙ୍କ ସହ ମିଶିଛି । ଏହି ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀ କିସରେ ପାଠ ପଢୁଛନ୍ତି କିମ୍ବା ଶିକ୍ଷା ସମାପ୍ତି ପରେ ନିଜନିଜ ଗୋଡରେ ଛିଡା ହୋଇପାରିଛନ୍ତି । ଏବେ କନ୍ଧମାଳ ଅଞ୍ଚଳକୁ ମୋର ଦ୍ୱିତୀୟ ଘର ବୋଲି ଭାବୁଛି । ତେଣୁ ଦଳ ମୁଖ୍ୟଙ୍କ ନିଷ୍ପତ୍ତିକୁ ସମ୍ମାନର ସହ ଗ୍ରହଣ କରିଛି । ଆଉ କନ୍ଧମାଳର ବିକାଶକୁ ଜୀବନର ଅନ୍ୟ ଏକ ଧେୟ ବୋଲି ସ୍ୱୀକାର କରୁଛି ।
ସମ୍ପାଦକ: ଆପଣ ସାରା ଜୀବନ ଆଦିବାସୀଙ୍କ ପାଇଁ କାମ କରିଆସିଛନ୍ତି । ତେବେ କନ୍ଧମାଳ ପାଇଁ ନିର୍ଦ୍ଦିଷ୍ଟ ଭାବେ କ’ଣ ସବୁ ଯୋଜନା ମନ ଭିତରେ ରହିଛି?
ଶ୍ରୀଯୁକ୍ତ ସାମନ୍ତ: ଯୋଜନା ତ ଅନେକ କିଛି ଅଛି । ମୋ ମତରେ ଶିକ୍ଷା ହିଁ ସବୁ ଯୋଜନା ଓ ବିକାଶର ମୂଳଦୁଆ ହେବାକଥା । ଉଚିତ ଓ ସମୟୋପଯୋଗୀ ଶିକ୍ଷା ବିନା କୌଣସି ଜାତିର ଉତ୍ଥାନ ଅସମ୍ଭବ ।
କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ଶିକ୍ଷା ଓ ଭିତ୍ତିଭୂମି ବିକାଶ ହିଁ ମୋର ପ୍ରାଥମିକତା । ତା’ ପରେ ନିଯୁକ୍ତି, ମହିଳା ସଶକ୍ତିକରଣ, କୃଷି, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ, ପାନୀୟ ଜଳ, ବିଜୁଳି, ପରିମଳ, କ୍ରୀଡା,
ଇତ୍ୟାଦି ସବୁକ୍ଷେତ୍ରରେ ଅଞ୍ଚଳକୁ ସର୍ବୋକ୍ରୃଷ୍ଟ କରିବାକୁ ମୁଁ ପ୍ରାଣପଣେ ଉଦ୍ୟମ କରିବି । ସଫଳ ମଧ୍ୟ ହେବି । ଆଉ ଗୋଟେ କଥା, ଆମେ ଯେତେବେଳେ ଗୋଟେ ଆକାଶ ଛୁଆଁ ନୂତନ ଓଡ଼ିଶାର ପରିକଳ୍ପନା କରୁ ସେତେବେଳେ ଆମ ଅ।ଖି ସାମ୍ନାରେ ସର୍ବପ୍ରଥମେ ଯେଉଁ ସମ୍ବଳ ପରିଦୃଷ୍ଟ ହୁଏ ତାହା ଯୁବଶକ୍ତି । ଯୁବଶକ୍ତିର ପୂର୍ଣ୍ଣ ବିକାଶ ବିନା ରାଷ୍ଟ୍ର ବିକାଶର ସ୍ୱପ୍ନ ଦେଖିବା କେବଳ ଏକ ବୃଥା ଆସ୍ଫାଳନ ଛଡା ଅନ୍ୟ କିଛି ନ ହୋଇପାରେ । କହିବା ବାହୁଲ୍ୟ, ଭାରତ ଏକ ଯୁବ ରାଷ୍ଟ୍ର । ଆମ ଦେଶର ଜନସଂଖ୍ୟାର ଏକ ସିଂହ ଭାଗ ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର ଯୁବଗୋଷ୍ଠୀ । ଏଣୁ ଯୁବକଙ୍କ ସାମଗ୍ରୀକ ବିକାଶ ପାଇଁ ସୁଦୁରପ୍ରସାରୀ ଯୋଜନା ଓ ନୀତି ପ୍ରଣୟନ ହିଁ ସରକାର ତଥା ବିଭିନ୍ନ ଅନୁଷ୍ଠାନଗୁଡିକର ଧେୟ ହେବା ଉଚିତ । ଯୁବଗୋଷ୍ଠୀଙ୍କ ଭିତରେ ଆତ୍ମପ୍ରତ୍ୟେୟ ସୃଷ୍ଟିକରି ସେମାନଙ୍କୁ ଦେଶର ବିକାଶ ପର୍ବରେ ପାରଦର୍ଶୀ ଭାବେ ସାମିଲ କରିବା ହିଁ ସମୟର ଆହ୍ୱାନ । ଏଣୁ ଯୁବଶକ୍ତିର ଯଥୋଚିତ ସୁବିନିଯୋଗ ଓ ସଶକ୍ତିକରଣ ନିମନ୍ତେ ମୁଁ ପ୍ରତିଜ୍ଞାବଦ୍ଧ । କନ୍ଧମାଳ ଏକ ଶିଳ୍ପ ବିହୀନ ଅଞ୍ଚଳ । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ କୌଣସି ବୃହତ୍ତର ଶିଳ୍ପସଂସ୍ଥା ନାହିଁ । କର୍ମ ସଂସ୍ଥାନ ନିମନ୍ତେ ଜିଲ୍ଲାର ବହୁ ଯୁବଗୋଷ୍ଠୀ ଓ କର୍ମଜୀବୀ ଭାଇଭଉଣୀମାନେ ବାହାରକୁ ଯିବା ପାଇଁ ଏକପ୍ରକାର ବାଧ୍ୟ । ତେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ନବୀନ ବାବୁ ସଦାବେଳେ ଚେଷ୍ଟିତ । ମୁଁ ତାଙ୍କ ନିର୍ଦ୍ଦେଶରେ ଏହିସବୁ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ ସଫଳ କରିବାକୁ ଚେଷ୍ଟା କରିବି ।
ସମ୍ପାଦକ: ଆପଣଙ୍କ ଗାଁ, କଟକ ଜିଲ୍ଲାର “କଲରାବାଙ୍କ’ ଏକ ବହୁ ଚର୍ଚିତ ଗ୍ରାମ । ଏହା କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷର ଏକ ଆଦର୍ଶ ଗ୍ରାମ ଭାବେ ଗଣାହୁଏ । ଗୋଟେ ଅଖ୍ୟାତ ପଲ୍ଲୀକୁ ଆପଣ ଯେଉଁ ଶ୍ରେଷ୍ଠରୂପ ଦେଇଛନ୍ତି, ସେମିତି କିଛି ଚମକ୍ରାରିତା ଆମେ ବୌଦ୍ଧ/କନ୍ଧମାଳ ଜିଲ୍ଲାରେ ଦେଖିବାକୁ ପାଇବୁ କି?
ଶ୍ରୀଯୁକ୍ତ ସାମନ୍ତ: ନିଶ୍ଚିତ ଭାବରେ । ମୋ’ର ସ୍ୱପ୍ନ ଓଡିଶାର ସବୁ ଗାଁ କଲରାବାଙ୍କ ଭଳି ହୋଇଯାନ୍ତା କି! ଆମେ ସବୁ ଯିଏ ଯେଉଁଠି ଜନ୍ମ ହୋଇଛେ, ସେଇ ଜନ୍ମମାଟିର ଉନ୍ନତି ପ୍ରତି ସମସ୍ତେ ସଜାଗ ହେବା ଜରୁରୀ । ମୁଁ ମୋ ସାଧ୍ୟମତେ ମୋ’ ଜନ୍ମମାଟି ପାଇଁ କିଛି କରିବାକୁ ଚେଷ୍ଟା କରିଛି । ଗୋଟେ ସହରରେ ବି ଯେଉଁସବୁ ସୁବିଧା ସୁଯୋଗ ସ୍ୱପ୍ନ, ମୋ ଗାଁରେ ସେସବୁ ଉପଲବ୍ଧ । ମେଡିକାଲ ଠାରୁ ଆରମ୍ଭକରି ପବ୍ଲିକ ସ୍କୁଲ ଯାଏଁ, ୨୪ ଘଣ୍ଟିଆ ବିଜୁଳି ଠାରୁ ଆରମ୍ଭ କରି ପାନୀୟଜଳ ଓ ୱାଇ-ଫାଇ ଇଣ୍ଟରନେଟ ସେବା ଯାଏଁ, ରାସ୍ତା, ଘାଟ, ପାର୍କ, ଷ୍ଟାଡିୟମ, ଶୌଚାଳୟ, ଯାହାଯାହା ସବୁ ଆମେ ସେଠି ନିର୍ମାଣ କରିଛୁ । ଏବେ କଲରାବାଙ୍କକୁ ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ବି ଆସୁଛନ୍ତି । ଏଣିକି ତ କନ୍ଧମାଳ ମୋର ଦ୍ୱିତୀୟ ଗାଁ ହେବାକୁ ଯାଉଛି! କନ୍ଧମାଳକୁ ସ୍ମାର୍ଟ ଓ ସୁନ୍ଦର କରିବା ମୋ’ର ଦାୟିତ୍ୱ । ଆପଣମାନଙ୍କ ଶ୍ରଦ୍ଧା ଓ ସହଯୋଗ ରହିଲେ କିଛି ବି ଅସମ୍ଭବ ହେବ ନାହିଁ ବୋଲି ମୋର ଦୃଢ ବିଶ୍ୱାସ ।
ସମ୍ପାଦକ: ସାରା ଦୁନିଆ ଜାଣିଛି, ଆପଣ ଜଣେ ଅତି ଦରଦୀ ଓ ସରଳ ମଣିଷ । ଶିକ୍ଷାବିତ, ସଫଳ ଉଦ୍ୟୋଗୀ, ରାଜନେତା, ସମାଜସେବୀ, ଦିବ୍ୟଦ୍ରଷ୍ଟା! ଏଥିରୁ କେଉଁ ସମ୍ବୋଧନଟି ଆପଣଙ୍କୁ ଖୁସି ଦିଏ?
ଶ୍ରୀଯୁକ୍ତ ସାମନ୍ତ: କିଛି ବି ନୁହେଁ । ଅଚ୍ୟୁତ ସାମନ୍ତ ମୋଟେ ଏସବୁରେ ନଥାଏ । ମୁଁ ନିଜକୁ ଜଣେ ଅତି ସାଧାରଣ ଲୋକ ବୋଲି ଭାବେ ଓ ସେମିତି ବଞ୍ଚେ ମଧ୍ୟ । ଅବିବାହିତ ରହିଛି । ଏଣୁ ମାତ୍ର ଦୁଇ ବଖୁରିଆ ଭଡ଼ା ଘରେ ମୋ’ର କାମ ଚଳିଯାଉଛି । ଆଜିପର୍ଯ୍ୟନ୍ତ ଯାହା ଯାହା ଅର୍ଜନ କରିଛି ସବୁକିଛି ସମାଜକୁ ଉତ୍ସର୍ଗ କରି ଦେଇଛି । ମୋ ନାମରେ କିଛି ବି ନାହିଁ । ଧନ, ସମ୍ପତ୍ତି, କୋଠା, ବାଡି, ଏଥିରେ ମୋ’ର କେବେ ବି ଆଗ୍ରହ ନଥିଲା, ଆଜି ବି ନାହିଁ । କେବଳ ଲୋକଙ୍କ ଭଲପାଇବା ମୋ’ର ପୁଞ୍ଜି ଓ ସମ୍ପତ୍ତି । ଜନସାଧାରଣଙ୍କ ସେବା ନକରି ମୁଁ ରହିପାରିବି ନାହିଁ । ଏହା ମୋ ପାଇଁ ଆବଶ୍ୟକତା । ଅସୁବିଧାରେ ପଡି ଯିଏ ଯେତେବେଳେ ମୋ’ ସାହାଯ୍ୟ ଲୋଡିଛି, ବିନା କିଛି ପ୍ରତ୍ୟାଶାରେ ଯଥାସାଧ୍ୟ ସହଯୋଗ କରିବାକୁ ଚେଷ୍ଟା କରିଛି । ଶିକ୍ଷା ମୋ’ର ଆୟୁଧ ଓ ପରିଚୟ । କେବଳ ଶିକ୍ଷା ଦ୍ୱାରା ହିଁ ସମାଜରୁ ଦାରିଦ୍ର୍ୟର ମୂଳୋତ୍ପାଟନ ସମ୍ଭବ! ବଞ୍ଚିତଙ୍କୁ ଶିକ୍ଷାସେବା ଯୋଗାଇ ଦେଉଦେଉ କେତେବେଳେ ଉଦ୍ୟୋଗୀ ହୋଇଯାଇଛି । ମାତ୍ର ଏହା ମୋର ବେଉଷା ନୁହେଁ । ରାଜନୀତି ମୋତେ ଜଣା ନାହିଁ । ରାଜନୀତି ପ୍ରତି ନା କେବେ ଆଗ୍ରହ ଥିଲା ନା ଥିଲା ପ୍ରସ୍ତୁତି । ଜୀବନରେ କେବେ ରାଜନୀତିକୁ ଆସିବି ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି । ମୋର ଦୀର୍ଘ ବର୍ଷର ନିରନ୍ତର ସମାଜସେବାକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟତା ପ୍ରଦାନ କରି ମୋତେ ଏଥିରେ ସାମିଲ କରିଛନ୍ତି । ତେବେ, ଏହାଦ୍ୱାରା ଏକ ବୃହତର ଗୋଷ୍ଠୀର ସେବା କରିହେବ ବୋଲି ଭାବି ମୁଁ ମୋ’ କର୍ତ୍ତବ୍ୟ ପଥରେ ଆଗେଇ
ଚାଲିଛି । ତା’ ଛଡା, ଆମେ ଯେଉଁ କଥା ତିରିଶ ବର୍ଷ ତଳେ ଚିନ୍ତା କରିଥିଲୁ, ଆଜି ତାକୁ ବିଶ୍ୱ ମାନ୍ୟତା ପ୍ରଦାନ କରୁଛି । ୨୫ ବର୍ଷ ତଳେ କିଟ୍ ଓ କିସ୍ ଭଳି ଅନୁଷ୍ଠାନର ପ୍ରତିଷ୍ଠା ହେବା ଘଟଣାକୁ ଏବେ “ଷ୍ଟାର୍ଟ ଅଫ୍’ର ନାମ ଦିଅ ।ଯାଉଛି । ଏହାକୁ ଆପଣ ଦୂରଦୃଷ୍ଟି କିମ୍ବା ଦିବ୍ୟଦୃଷ୍ଟି ଯାହା ବି କହିପାରନ୍ତି । ହେଲେ ମୋ’ ପାଇଁ ଏହା କେବଳ ବିଭୁକୃପା । ଇଶ୍ୱର ମୋ’ ମାଧ୍ୟମରେ ଏତେସବୁ କଥା କରିଛନ୍ତି । ଆଗକୁ ତାଙ୍କରି ନିର୍ଦ୍ଦେଶରେ ଆହୁରି ଅନେକ କିଛି କରିବାର ଅଛି ।

hiranchal ad1
Leave A Reply

Your email address will not be published.

11 + 13 =