ଅନୁଗୁଳ ଜିଲ୍ଲାରେ ସାମୁଦାୟିକ ବିକାଶ ପ୍ରକଳ୍ପ ପାଇଁ ଏମସିଏଲ୍ ସ୍ୱାକ୍ଷର କଲା ୩.୯୩ କୋଟି ଟଙ୍କାର ଏମ୍.ଓ.ୟୁ

0 100

ସମ୍ବଲପୁର: ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL), ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମ ଅଧୀନରେ, ଅନୁଗୁଳ ଜିଲ୍ଲାରେ ବିଭିନ୍ନ ସାମୁଦାୟିକ ବିକାଶ ଏବଂ ଭିତ୍ତିଭୂମି ପ୍ରକଳ୍ପର ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ସହ ୦୩ଟି ବୁଝାମଣା ପତ୍ର (MoU) ସ୍ୱାକ୍ଷର କରିଛି। ଏହି ସମସ୍ତ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଅନୁଗୁଳ ଜିଲ୍ଲାର ସ୍ଥାନୀୟ ଜନସାଧାରଣଙ୍କ ପାଇଁ ସ୍ଥାୟୀ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା, ନାଗରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା।

ପ୍ରଥମ ବୁଝାମଣା ପତ୍ର ଅନୁଯାୟୀ, ଅନୁଗୁଳ ଜିଲ୍ଲାର ତାଇଁସି, ବାନ୍ତାଳ ଏବଂ ବାଗେଡିଆ ଗ୍ରାମରେ ଉପଯୁକ୍ତ ସୁଗନ୍ଧିତ ଫସଲ କ୍ଲଷ୍ଟର ଗଠନ ପାଇଁ ଏମସିଏଲ୍ ୩୧.୫୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଏହାଦ୍ୱାରା କୃଷକ ଉତ୍ପାଦକ ସଂଗଠନ (FPOs) ଅଧୀନରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୨,୨୦୦ ଚାଷୀ ଉପକୃତ ହେବେ। ଏହି ପ୍ରକଳ୍ପରେ ସୁଗନ୍ଧିତ ଫସଲ ଚାଷକୁ ପ୍ରୋତ୍ସାହନ, ଅର୍କ ବା ପାତନ ୟୁନିଟ୍ ପ୍ରତିଷ୍ଠା, ଦକ୍ଷତା ବିକାଶ, ମହିଳାମାନଙ୍କ ନେତୃତ୍ୱରେ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଏବଂ ସ୍ଥାୟୀ କୃଷି ପ୍ରଣାଳୀର ଗ୍ରହଣ ଆଦି ସାମିଲ ରହିଛି।

hiring

ଅନ୍ୟ ଦୁଇଟି ବୁଝାମଣା ପତ୍ର ଜିଲ୍ଲାର ନାଗରିକ ଭିତ୍ତିଭୂମିର ଉନ୍ନତି ପାଇଁ କରାଯାଇଥିବା ବେଳେ ଏମସିଏଲ୍ ଅନୁଗୁଳର ଧଉରାଗଠ ଗ୍ରାମରେ ରାସ୍ତା ନିର୍ମାଣ ଏବଂ କ୍ରସ୍-ଡ୍ରେନେଜ୍ କାର୍ଯ୍ୟ ପାଇଁ ୨.୬୧ କୋଟି ଟଙ୍କା ପ୍ରଦାନ କରିବ, ଯାହାଦ୍ୱାରା ସାମାଜିକ ସ୍ତରରେ ପଛୁଆ ବର୍ଗର ୧୦୯ଟି ପୁନର୍ବାସିତ ପରିବାର ଉତ୍ତମ ଯୋଗାଯୋଗ ଏବଂ ନାଗରିକ ସୁବିଧା ପାଇ ଉପକୃତ ହୋଇପାରିବେ। ସେହିଭଳି, ତାଳଚେର ପୌରାଞ୍ଚଳ ଅଧୀନରେ ଡ୍ରେନେଜ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସାର୍ବଜନୀନ ଭିତ୍ତିଭୂମିର ଉନ୍ନତି ପାଇଁ ୬ଟି ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ଲାଗି ଏମସିଏଲ୍ ନିଜ ସିଏସଆର ପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିବ।

ଏହିସବୁ ବିକାଶମୂଳକ ପଦକ୍ଷେପ ଯୋଗୁଁ ଆଞ୍ଚଳିକ ସ୍ତରରେ ନାଗରିକ ସୁବିଧା ସୁଯୋଗ, ଯୋଗାଯୋଗ, ପରିମଳ ଏବଂ ଜଳ ନିଷ୍କାସନ ଭିତ୍ତିଭୂମିରେ ବ୍ୟାପକ ସୁଧାର ଆସିବ, ଯାହା ସ୍ଥାନୀୟ ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ କରିବ।

ଏହିଭଳି ଜନହିତକର କାର୍ଯ୍ୟ ମାଧ୍ୟମରେ ଏମସିଏଲ୍ ନିଜର କାର୍ଯ୍ୟକ୍ଷେତ୍ର ଅଞ୍ଚଳ ଗୁଡ଼ିକରେ ସାମଗ୍ରିକ ବିକାଶ, ସ୍ଥାୟୀ ପ୍ରଗତି ଏବଂ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ଥିବା ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।

hiranchal ad1
Leave A Reply

Your email address will not be published.

eleven − 10 =