“ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

0 661

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଚନ୍ଦ୍ର ଶେଖର-ଦ ଲାଷ୍ଟ ଆଇକନ ଅଫ ଆଇଡିଓଲୋଜିକାଲ ପଲିଟିକ୍ସ” ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକଟିକୁ ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ଶ୍ରୀ ରବିଦତ ବାଜପେୟୀ ଲେଖିଛନ୍ତି । ସଂସଦ ପାଠାଗାର ପରିସରସ୍ଥିତ ବାଲଯୋଗୀ ପ୍ରେକ୍ଷାଳୟରେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରଧାନମନ୍ତ୍ରୀ ଏହି ପୁସ୍ତକର ପ୍ରଥମ କପି ଭାରତର ଉପରାଷ୍ଟ୍ରପତି ଶ୍ରୀ ଏମ. ଭୈଙ୍କେୟା ନାଇଡ଼ୁଙ୍କୁ ପ୍ରଦାନ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ରାଜନୈତିକ ପରିଦୃଶ୍ୟରେ, ଏହା ଉଲ୍ଲେଖନୀୟ ଯେ ଦେହାନ୍ତର ୧୨ ବର୍ଷ ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ବିଚାର ଆମର ମାର୍ଗଦର୍ଶନ କରିବା ସହିତ ସବୁଦିନ ପାଇଁ ପ୍ରାସଙ୍ଗିକ ହୋଇ ରହିଛି ।

hiring


ଏହି ପୁସ୍ତକ ଲେଖିବା ପାଇଁ ଶ୍ରୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖରଙ୍କ ସହିତ ତାଙ୍କର ସାକ୍ଷାତର ସ୍ମୃତି ଏବଂ ଅନୁଭୂତି ବଖାଣିଥିଲେ ।
୧୯୭୭ରେ ଚନ୍ଦ୍ର ଶେଖରଙ୍କୁ ପ୍ରଥମ ଥର ଭେଟିଥିବା ସେ ମନେ ପକାଇଥିଲେ । ସେ କହିଥିଲେ ଯେ ପୂର୍ବତନ ଉପରାଷ୍ଟ୍ରପତି ଭୈରୋଁ ସିଂ ଶେଖାୱତଙ୍କ ସହିତ ଯାତ୍ରା କରୁଥିବା ସମୟରେ ସେ ଶ୍ରୀ ଚନ୍ଦ୍ର ଶେଖରଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭେଟିଥିଲେ । ଭିନ୍ନ ଭିନ୍ନ ରାଜନୈତିକ ବିଚାରଧାରା ସତ୍ୱେ ଦୁଇ ନେତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଥିଲା ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଶ୍ରୀ ଚନ୍ଦ୍ର ଶେଖର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ “ଗୁରୁ ଜୀ” ବୋଲି ସମ୍ବୋଧନ କରୁଥିଲେ । ଚନ୍ଦ୍ର ଶେଖର ଜଣେ ସଂସ୍କାରୀ ଓ ନୀତିବାନ ବ୍ୟକ୍ତି ଥିଲେ, କେତେକ କ୍ଷେତ୍ରରେ ମତପାର୍ଥକ୍ୟ ହେଲେ, ତାଙ୍କ ସମୟର ସବୁଠୁ ପ୍ରଭାବଶାଳୀ ରାଜନୈତିକ ଦଳକୁ ବିରୋଧ କରିବା ଲାଗି ସେ ପଛାଉନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ମୋହନ ଧରିଆ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଭଳି ନେତାଙ୍କ ଠାରୁ ଚନ୍ଦ୍ର ଶେଖରଙ୍କ ବିଷୟରେ ଅନେକ ପ୍ରଶଂସା ଶୁଣିଥିବା ସେ କହିଥିଲେ ।
ଚନ୍ଦ୍ର ଶେଖରଙ୍କ ସହିତ ଶେଷ ସାକ୍ଷାତ ବିଷୟରେ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଅସୁସ୍ଥ ଥିବା ସମୟରେ ତାଙ୍କୁ ଫୋନ କରିଥିଲେ ଏବଂ କେବେ ଦିଲ୍ଲୀ ଆସିଲେ ତାଙ୍କୁ ସାକ୍ଷାତ କରିବା ଲାଗି କହିଥିଲେ । ଏହି ଆଲୋଚନା ସମୟରେ ଚନ୍ଦ୍ର ଶେଖର ଗୁଜରାଟର ବିକାଶ ବିଷୟରେ ଜାଣିବାକୁ ଯାଇଥିଲେ ଏବଂ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥିଲେ ।
ତାଙ୍କର ବୈଚାରିକ ସ୍ପଷ୍ଟତା, ଲୋକମାନଙ୍କ ପ୍ରତି ପ୍ରତିବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
କୃଷକ, ଗରିବ ଏବଂ ବଂଚିତଙ୍କ ଲାଗି ଶ୍ରୀ ଚନ୍ଦ୍ର ଶେଖରଙ୍କ ଦ୍ୱାରା ଆୟୋଜିତ ଐତିହାସିକ ପଦଯାତ୍ରା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦେବାରେ ଆମେ ବିଫଳ ହେବା ଦୁର୍ଭାଗ୍ୟଜନକ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଡ. ଆମ୍ବେଦକର ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ମହାନ ଭାରତୀୟ ନେତାଙ୍କ ସମ୍ପର୍କରେ ପ୍ରତିକୂଳ ଛବି ସୃଷ୍ଟି କରିବାର ପ୍ରୟାସ କରିଥିଲେ । ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏକ ସଂଗ୍ରହାଳୟ ଦିଲ୍ଲୀରେ ପ୍ରତିଷ୍ଠା କରାଯିବ ବୋଲି ସେ ଜୋର ଦେଇ କହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ଜୀବନ ଏବଂ ଉକ୍ରୃଷ୍ଟ କାର୍ଯ୍ୟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେବା ଲାଗି ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିଜନମାନଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଦେଶକୁ ରାଜନୈତିକ ଅସ୍ପୃଶ୍ୟତା ଠାରୁ ଊଦ୍ଧ୍ୱର୍କୁ ଯାଇ ଏକ ନୂତନ ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ।
ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଏବଂ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଶ୍ରୀ ଗୁଲାମ ନବୀ ଆଜାଦ୍ ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × four =