ଆଇଏମ୍ଡ଼ିର ପୂର୍ବାନୁମାନ : ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ

0 630

ନୂଆଦିଲ୍ଲୀ : ଗତ ଜୁନ୍ ଓ ଜୁଲାଇ ମାସରେ ପୂର୍ବାନୁମାନ ଅନୁସାରେ ବୃଷ୍ଟିପାତ ହେଲାନାହିଁ । ଏହି ଦୁଇମାସରେ ଦେଶରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଯେଉଁଥିପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡ଼ି) । ଆଇଏମ୍ଡି ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଶତପ୍ରତିଶତ ବୃଷ୍ଟିପାତ ହେବ । ତେବେ ବେଳ ବେଳେ ବୃଷ୍ଟିପାତରେ ଫରକ ଆସିପାରେ । ଏହା ଆଠ ପ୍ରତିଶତ କମ୍ବେଶୀ ହୋଇପାରେ । ଜୁନ୍ ମାସ ଶେଷ ସୁଦ୍ଧା ହୋଇଥିବା ବୃଷ୍ଟିପାତ ସ୍ୱାଭାବିକ ବୃଷ୍ଟିପାତରୁ ୩୫ ପ୍ରତିଶତ କମ୍ ରହିଥିଲା । ସେହିଭଳି, ଜୁଲାଇ ଶେଷ ସୁଦ୍ଧା ହୋଇଥିବା ବୃଷ୍ଟିପାତ ନିଅଣ୍ଟିଆ ଥିଲା । ସ୍ୱାଭାବିକ ବୃଷ୍ଟିପାତରୁ ଏହା ୧୧ ପ୍ରତିଶତ କମ୍ ଥିଲା । ଜୁଲାଇ ମାସର ପ୍ରାରମ୍ଭରୁ ଏବଂ ଏହି ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଭଲ ବର୍ଷା କାରଣରୁ ନିଅଣ୍ଟିଆ ସ୍ଥିତିର ଭରଣା ହୋଇପାରିଥିଲା । ଚଳିତ ବର୍ଷ ମୌସୁମୀଜନିତ ବର୍ଷା ଠିକ୍ ଭାବରେ ହୋଇପାରି ନାହିଁ । ଅଧିକାଂଶ ବର୍ଷା ଲଗୁଚାପ ଜନିତ । ଆଗକୁ ଆଉ ଗୋଟିଏ ଦୁଇଟି ଲଘୁଚାପ ହେବାର ସମ୍ଭାବନା ଥିବାରୁ ବୃଷ୍ଟିପାତ ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି । ଗତ ଦୁଇ ମାସ ହେଲା ଦେଶର କେତେକ ଭାଗରେ ସ୍ୱାଭାବିକ ଠାରୁ କମ୍ ବୃଷ୍ଟିପାତ ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ଅଞ୍ଚଳରେ ଶୁଖିଲା ସ୍ଥିତି ଦେଖାଦେଇଛି । ଯେଉଁଥିଯୋଗୁଁ ଗଜା ମରୁଡି ହୋଇଛି । ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଅନେକ ଅଞ୍ଚଳରେ ତଳି ରୁଆ କାର୍ଯ୍ୟ ମଧ୍ୟ ହୋଇପାରି ନାହିଁ । ଓଡ଼ିଶାେରେ ମଧ୍ୟ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିଯୋଗୁଁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅପରପକ୍ଷରେ, ଆସାମ, ବିହାର ଓ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଆସିଛି । ଆସାମ ଓ ବିହାରରେ ବନ୍ୟାରେ ଦେଢ଼ଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ହଜାର ହଜାର ହେକ୍ଟର ଫସଲ ଉଜୁଡ଼ି ଯାଇଛି । ମହାରାଷ୍ଟ୍ର ପୁନେ ଓ ଥାନେ ସମେତ ବହୁ ଅଞ୍ଚଳ ଏବେ ମଧ୍ୟ ଜଳବନ୍ଦୀ ସ୍ଥିତିରେ ରହିଛି ।

hiranchal ad1
Leave A Reply

Your email address will not be published.

nineteen + fourteen =