ମାନବିକତାର ମହତ୍ୱ ଦେଖାଇଲେ ସ୍ୱେଚ୍ଛାସେବୀ ପ୍ରିୟଦର୍ଶନୀ

0 608

ଫୁଲବାଣୀ :ସମ୍ପ୍ରତି ସମଗ୍ର ବିଶ୍ୱରେ ମହାମାରୀ କୋରୋନା କୋକୁଆ ଭୟ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବା ପାଇଁ ଭାରତରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା ହୋଇଛି । ସେହିପରି ଓଡ଼ିଶାରେ ଆଜି ଆଗାମୀ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହୋଇଛି । ଫଳରେ ଯାନବାହାନ ଚାଲିବା ବନ୍ଦ ହେବା ସହ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦର ସିଧାସଳଖ ପ୍ରଭାବ ପଡ଼ିଛି ବେସାହାରା ଜନସାଧାରଣଙ୍କ ସମେତ ରାସ୍ତାରେ ବୁଲୁଥିବା ନିରୀହ ପଶୁମାନଙ୍କ ଉପରେ । ବିଶେଷ କରି ମାନସିକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବୁଲୁଥିବା ଜନସାଧାରଣ ବର୍ତମାନ ଖାଇବାକୁ ନପାଇ ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳୁଛି । ଏମାନଙ୍କ ଅବସ୍ଥା ଦେଖି ସ୍ୱେଚ୍ଛାସେବୀ ପ୍ରିୟଦର୍ଶନୀ ପ୍ରଧାନ ନିୟମିତ ନିଜ ଜୀବନକୁ ବାଜି ଲଗାଇ ଘରୁ ବାହାରିବା ସହ ଫିରିଙ୍ଗିଆ ଅଂଚଳରେ ବୁଲୁଥିବା ମାନସିକ ବିକଳାଙ୍ଗ ବ୍ୟକ୍ତିଙ୍କୁ ପ୍ରତିଦିନ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି । ଏଥିପାଇଁ ଦିନବେଳେ ସେ ପଂଚାୟତରେ ଦିଆଯାଉଥିବା ରନ୍ଧା ଖାଦ୍ୟ ସଂଗ୍ରହ କରିବା ସହ ରାତିରେ ନିଜ ଘରେ ରୋଷେଇ ହୋଇଥିବା ଖାଦ୍ୟକୁ ଏହି ମାନସିକ ବିକଳାଙ୍ଗ ବ୍ୟକ୍ତିଙ୍କୁ ଦେବା ସହ ଆବଶ୍ୟକ ପଡ଼ିଲେ ନିଜେ ମଧ୍ୟ ଖୁଆଇ ଦେଉଛନ୍ତି । ସେହିପରି ବିଭିନ୍ନ ଅଂଚଳରେ କୋରୋନାରୁ ନିଜକୁ ସୁରକ୍ଷିତ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ସହ ହାତ ଧୂଆ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ନିଜେ ସଫାସୁତୁରା ରହିବା ସମ୍ପର୍କରେ ମଧ୍ୟ ସଚେତନ କରୁଛନ୍ତି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ଏହି କର୍ମୀ ଅନୁଷ୍ଠାନର ଅନ୍ୟ ବହୁ କର୍ମୀଙ୍କୁ ସାଥୀ କରି ନିଜ ନିଜ ଅଂଚଳର ବହୁ ଘରୁ ପେଜ, ପରିବା ଚୋପା ଭଳି ପଦାର୍ଥ ସଂଗ୍ରହ କରିବା ସହ ବଣ ଜଙ୍ଗଲରୁ ଡାଳପତ୍ର ଇତ୍ୟାଦି ଯୋଗାଡ଼ କରି ଖାଇବାକୁ ନପାଇ ରାସ୍ତାକଡ଼ରେ ବେସାହାରା ହୋଇ ବୁଲୁଥିବା ଗାଈଗୋରୁଙ୍କୁ ମଧ୍ୟ ଖାଇବାକୁ ଦେଉଥିବା ଲକ୍ଷ୍ୟ କରାଯାଉଛି । ପ୍ରିୟଦର୍ଶନୀଙ୍କ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବହୁ ପ୍ରଶଂସା ମିଳିବା ସହ ଏଥିରେ ଉତ୍ସାହିତ ହୋଇ ବହୁ ଜନ ସାଧାରଣ ବର୍ତମାନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

2 + six =