ରଥ ନିର୍ମାଣରେ ମହାପ୍ରଭୁଙ୍କ ଚିତ୍ରକର ସେବକ ,ତିନି ରଥକୁ ଦିଅନ୍ତି ଜୀବନ୍ତ ରୂପ

0 80

ପୁରୀ- ମହାପ୍ରଭୁ ଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣକାର୍ଯ୍ୟ ଆଗେଇ ଚାଲିଛି। ରଥ କୁ ଆକର୍ଷଣୀୟ କରିବାରେ ଲାଗି ପଡିଛନ୍ତି ଚିତ୍ରକର ସେବକ ମାନେ। ଚିତ୍ରକର ସେବକ ମାନେ ତିନି ରଥର ନାଟଗୋଡ ଖୋଦେଇ ରଙ୍ଗ କାର୍ଯ୍ୟ ସହ ରଥର ପାର୍ଶ୍ଵ ଦେବଦେବୀ ମୂର୍ତ୍ତୀ, ହଂସ ପଟା, କନ୍ୟାପଟା, ଶିଖର ଡମ୍ବୁର, ଓଲଟ ଶୁଆ ସହ ରଥ ର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
ରଥ ନିର୍ମାଣ ରେ ବିଭିନ୍ନ ସେବକ ନିୟୋଜିତ ଥିବା ବେଳେ ରଥ କୁ ପାରମ୍ପରିକ ଚିତ୍ରକଳା ରେ ଜୀବନ୍ତ କରିବାରେ ଚିତ୍ରକର ସେବକ ଙ୍କ ପ୍ରମୁଖ ଭୂମିକା ରହିଛି।ମହାପ୍ରଭୁ ଙ୍କ ସ୍ନାନଯାତ୍ରା ପରେ ଅଣସର ପିଣ୍ଡିରେ ପୂଜା ପାଉଥିବା ପଟି ଦିଅଁ ଙ୍କୁ ମଧ୍ୟ ଚିତ୍ରକର ପ୍ରସ୍ତୁତ କରିଥାନ୍ତି। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଅଣସର ପଟି ଦିଅଁ ଶ୍ରୀମନ୍ଦିର କୁ ବିଜେ କରିବା ପରେ ଚିତ୍ରକର ଙ୍କ ରଥ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ସମୟ ରେ ଚିତ୍ରକର ମାନେ ହବିଷାନ୍ନ ସେବନ ପୂର୍ବକ ଶୁଦ୍ଧପୂତ ଭାବରେ ରଥରେ ରଙ୍ଗ ଦେବା କାର୍ଯ୍ୟ କରିଥାନ୍ତି।
ପ୍ରଭୂ ବଳଭଦ୍ର ଙ୍କ ତାଳଧ୍ୱଜ ରଥରେ ୧୦, ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରେ ୧୪ ଏବଂ ଦର୍ପଦଳନ ରଥ ରଥରେ ୧୦ କଣ ଚିତ୍ରକର ସେବକ ନିୟୋଜିତ ରହିଛନ୍ତି। ମୁଖ୍ୟ ଚିତ୍ରକରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେରେ୨୫ ଜଣ ଚିତ୍ରକର ରଙ୍ଗ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି। ରଥର ପାର୍ଶ୍ଵ ଦେବଦେବୀ, ଗଜ ବରାଳ, ସଖୀ, ପରିଦଣ୍ଡା, କୋଣଗୁଜ, ଚକ୍ର, ଶୁଆ, କଳସ, ଦୁଆର ଘଡ଼ା, ଋଷିପଟା, ପାରାଭାଡ଼ି, ନାଟ ଗୋଡ, ଝରା, ସାରଥୀ, ଘୋଡ଼ା, ପରଭା, ଚାରିନାହାକା, ଚଉଦ ନାହାକା, ଠେକରାବାଡ଼ି, ଦଣ୍ଡା, ସିଂହାସନ ଓ ମୁହଁଟି ରଙ୍ଗ କାର୍ଯ୍ୟ କରିଥାନ୍ତି ଚିତ୍ରକର ମାନେ। ଶ୍ରୀମନ୍ଦିର ର ଥିବା ସ୍ୱତ୍ତଲିପି ଅନୁସାରେ ୮୭ ନମ୍ୱର୍ ସେବା ଭାବେ ଚିତ୍ରକର ସେବା ରହିଛି। ଚିତ୍ରକର ମାନେ ତିନି ରଥରେ ଚକ ଠାରୁ ଦ୍ୱାରବେଢ଼ା ପର୍ୟ୍ୟନ୍ତ ସମସ୍ତ୍ ଅଂଶ କୁ ଚିତ୍ରିତ କରିଥାନ୍ତି। ଏହା ଦ୍ୱାରା ରଥ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ତେବେ ତିନି ରଥ କୁ ପୂର୍ବରୁ ପ୍ରାକୃତିକ ରଙ୍ଗ ଦିଆଯାଉଥିଲା। ଏବେ ରଥ ର ରଙ୍ଗ ବର୍ଷାରେ ନ ଲଭିବା ପାଇଁ ଏନାମେଲ୍ ରଙ୍ଗ ବ୍ୟବହୃତ ହେଉଥିବା ବେଳେ ଧଳା, କଳା, ହଳଦିଆ, ନାଲି, ନୀଳ, ଗୋଲ୍ଡେନ, ରୂପେଲି ଓ କମଳା ରଙ୍ଗ ବ୍ୟବହାର ହେଉଛି।
ପଟିଦିଅଁ ପ୍ରସ୍ତୁତ କରନ୍ତି ଚିତ୍ରକର ସେବକ
ଆସନ୍ତା ୨୯ ତାରିଖ ସୋମବାର ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ । ୧୫ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କର କରାଯିବ ଗୁପ୍ତସେବା । ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିବ । ତେବେ ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ପଟି ଦିଅଁ ପ୍ରସ୍ତୁତି ରେ ଲାଗିଛନ୍ତି ମହାପ୍ରଭୁ ଙ୍କ ଚିତ୍ରକର ସେବକ

hiring

ଚିତ୍ରକର ସାହି ଓ ବାସେଳୀ ସାହି ପଣାପ୍ରିୟା ଲେନରେ ଚିତ୍ରକର ସେବାୟତ ଅତି ନିଷ୍ଠା, ଭକ୍ତି ତଥା ସମର୍ପଣ ମନୋଭାବର ସହ ପ୍ରସ୍ତୁତ କରୁଛନ୍ତି ପଟିଦିଅଁ । ସ୍ନାନବେଦୀରେ ସ୍ନାନ କରିବା ପରେ ଦୀର୍ଘ ୧୫ ଦିନ ଦିନ ଧରି ଅଣସର ଘରେ ଜ୍ୱରରେ ପୀଡ଼ିତ ହେବେ ଚତୁଃର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଉପଚାର ଲାଗି ଦଇତାପତି ସେବାୟତମାନେ ଅଣସର ଘରେ ଗୁପ୍ତ ସେବା କରିବେ। ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ। ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ସାବିତ୍ରୀ ପରଦିନଠାରୁ ପଟିଦିଅଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିତ୍ରକରଙ୍କ ପାରମ୍ପରିକ ରଙ୍ଗ ଓ ତୂଳୀ ସ୍ପର୍ଶରେ ଜୀବନ୍ତ ରୂପ ନେଇଥାନ୍ତି ଠାକୁରମାନେ । ପଟିଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ତାଙ୍କ ପରିବାର ଲୋକେ ହବିଷ୍ୟାନ୍ନ ଗ୍ରହଣ କରିଥାନ୍ତି ।
ପଟିଦିଅଁ ପ୍ରସ୍ତୁତି ପାଇଁ ପ୍ରଥମେ ନୂଆ ସୂତାକନା ଅଣାଯାଏ । ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରା ଯାଇ ବାଟି ଅଠା ପ୍ରସ୍ତୁତ କରାଯିବା ପରେ ସୂତାକନାର ଗୋଟିଏ ପାର୍ଶ୍ୱରେ ଲେପନ କରାଯାଇ ଖରାରେ ଶୁଖାଇ ଦିଆଯାଏ । ଧଳା ଓ ଗେରୁଆ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ବନକା କରାଯାଇ ପଟିଦିଅଁ ପ୍ରସ୍ତୁତ କରାଯାଏ । ତେବେ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ,‌ ଏବଂ ଶ୍ରୀ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଇଥାଆନ୍ତି ବୋଲି କହିଛନ୍ତି ଚିତ୍ରକର ସେବକ
ସ୍ନାନବେଦୀରୁ ଠାକୁରଙ୍କ ବାହୁଡା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ଚିତ୍ରକରଙ୍କ ଘରକୁ ଯିବାର ପରମ୍ପରା ରହିଛି । ଚିତ୍ରକର ସେବାୟତଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସାରିବା ପରେ ଘଣ୍ଟ, ଛତ୍ରୀ, କାହାଳୀ ସହ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ କରିଥାଆନ୍ତି । ଏହି ସମୟରେ ଭକ୍ତ ମାନେ ତିନି ଠାକୁରଙ୍କ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଭୁବନେଶ୍ଵରୀ ପଟିଦିଅଁ ଦର୍ଶନ କରିଲେ ସେମାନଙ୍କ ସମସ୍ତ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଶ୍ରୀମନ୍ଦିର ପ୍ରଶାସନଠାରୁ ଆଖି ଦୃଶିଆ ପାରିଶ୍ରମିକ ନମିଳୁଥିଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ସେବା ମନୋଭାବ ନେଇ ବେଶ୍ ଉତ୍ସାହର ସହ ପଟିଦିଅଁ ପ୍ରସ୍ତୁତ କରିଥାଆନ୍ତି ଏହି ଚିତ୍ରକର ସେବକମାନେ ।

hiranchal ad1
Leave A Reply

Your email address will not be published.

eighteen − 11 =