ଭୁବନେଶ୍ବର- ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ଯୋଗ ଦେଲେ ସାମିଲ। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଜେଡିରେ ମିଶିଛନ୍ତି। ଏହି ସୂଚନା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ସୁଜାତା ରାଉତ ଜଣେ ସାଧାରଣ କର୍ମୀ ଭାବେ ବିଜେଡି ସାମିଲ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ନିର୍ବାଚନରେ ସେ ହିଁ ବିଜେଡିର ଲିଡ୍ କରିବେ । ଅନ୍ୟପକ୍ଷରେ ସୁଜାତା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କୁ ଓଡିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ଆଗାମୀ ଦିନରେ ଓଡିଶାବାସୀଙ୍କ ସେବା କରିବି ବୋଲି ସେ କହିଛନ୍ତି ।

୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିବାବେଳେ ସେ ବହୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ପ୍ରାୟ ୨୫ ବର୍ଷ କ୍ୟାରିଅରରେ ସେ ଶିକ୍ଷା, ପୋଷଣ, ମାତୃ କଲ୍ୟାଣ ଏବଂ ମହିଳା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କର ପ୍ରାରମ୍ଭିକ ପୋଷ୍ଟିଂ ସମୟରେ ସେ ସ୍କୁଲ ଝିଅମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ଯୋଡିଥିଲେ, ଯାହା ପରେ ସମଗ୍ର ଓଡ଼ିଶାରେ ଗ୍ରହଣ କରାଯାଇଥିଲା। କଟକର ପ୍ରଥମ ମହିଳା କଲେକ୍ଟର ଏବଂ ପରବର୍ତ୍ତୀ ସମୟରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଭାବରେ ସେ ମମତା ମାତୃତ୍ୱ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ। ସେ ଆଇଏଏସ୍ ପଦବୀରୁ ମାର୍ଚ୍ଚ ୨୦୨୫ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ।
