ହରଭଙ୍ଗା : ବନ୍ୟା ଜଳ ସାମାନ୍ୟ ହ୍ରାସ, ଉଜୁଡିଲା ଧାନ ଫସଲ

0 104

ହରଭଙ୍ଗା : ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଆସି ହରଭଙ୍ଗା ବ୍ଲକ ଅଂଚଳରେ ୭ ଦିନ ଧରି ବନ୍ୟାଜଳରେ ଚାଷଜମି ବୁଡି ରହିଛି । ଫଳରେ ଏକର ଏକର ଚାଷଜମିର ଫସଲ ଉଜୁଡିଯିବା ସହ ଧାନଗଛ ପଚି ନଷ୍ଟ ହୋଇଛି । ଏବେବି ୧୦ଟି ଗାଁ ଜଳବନ୍ଦୀ ହୋଇଥିବା ବେଳେ, ବହୁ ଅଂଚଳ ବନ୍ୟାରେ ବୁଡି ରହିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାଯୋଗୁଁ ୭ ଦିନ ପାନୀୟ ଜଳ ଯୋଗାଣ ଠପ୍ ହୋଇଛି । ବନ୍ୟାରେ ବୌଦ୍ଧ ପୂର୍ତ୍ତ ବିଭାଗ, ପଞ୍ଚାୟତରାଜ ବିଭାଗ ରାସ୍ତା ସଂପୂର୍ଣ୍ଣ ବନ୍ୟାରେ ଧୋଇଦେବା ସହ କ୍ଷୁଦ୍ର ଜଳସେଚନ ବିଭାଗର ବହୁ ପ୍ରକଳ୍ପର କେନାଲ ଗୁଡିକ ଭାଙ୍ଗିଯାଇଅଛି । ବନ୍ୟାରେ ହରଭଙ୍ଗା ଅଂଚଳର ଚାରିଆଡେ ଜଳାର୍ଣ୍ଣବ ଯୋଗୁଁ ଚାଷ ସହିତ ପଶୁପାଳନ କରିଥିବା ଚାଷୀମାନେ ଗାଈଗୋରୁଙ୍କୁ ବାହାରେ ନଛାଡି ଘରେ ବାନ୍ଧି ରଖିଛନ୍ତି । ଫଳରେ ଚାରିଆଡେ ବନ୍ୟା ଜଳ ଯୋଗୁଁ ଗାଈ, ଗୋରୁ, ମଇଁଷି, ଛେଳି, ମେଣ୍ଢା ପ୍ରଭୃତି ଖାଇବାକୁ ନପାଇ ଭୋକଉପାସରେ ରହୁଛନ୍ତି । ଏଣୁ ପ୍ରଶାସନ ପକ୍ଷରୁ ଗୋ-ଖାଦ୍ୟ ଯୋଗାଇ ଦେବାକୁ ବନ୍ୟା ବିପନ୍ନମାନେ ଦାବି କରୁଛନ୍ତି । ହରଭଙ୍ଗା ଓ ଡିଆଘାଟଠାରେ ଥିବା ମୁହାଣଗୁଡିକ ପୋତି ହୋଇପଡିଥିବାରୁ ଜଳନିଷ୍କାସନ ହୋଇପାରୁନାହିଁ । ତେଣୁ ଚାଷଜମିଗୁଡିକରୁ ପାଣି ଛାଡିପାରୁନାହିଁ । ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରି ବନ୍ୟା ଆଶ୍ରୟସ୍ଥଳିରେ ଆଶ୍ରୟ ନେଇଥିବା ବିପିନ୍ନଙ୍କ ସମସ୍ୟା ପଚାରି ବୁଝିଥିଲେ । ବନ୍ୟାରେ ହରଭଙ୍ଗା ପଞ୍ଚାୟତର କୁଡାଶିଙ୍ଗା ଠାରୁ ବୁକେଶିଙ୍ଗା ଆଦି ରାସ୍ତାରେ ମନରେଗା ଯୋଜନାରେ ବୃକ୍ଷରୋପଣ କରାଯାଇଥିଲା । ଚଳିତ ବନ୍ୟାରେ ଏହି ପ୍ରକଳ୍ପର ଶହଶହ ଗଛ ଭାସିଯାଇଛି । ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଡିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =