ଲକଡାଉନ ଉଠିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ ଓଡିଶା ଆଗମନ : ରାଜ୍ୟବାସୀଙ୍କ ମନରେ ସଂକ୍ରମଣର ଭୟ !

0 179

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜାରି କରି ପ୍ରବାସୀ ଓଡିଆମାନଙ୍କର ଆଗମନ ପରେ ରାଜ୍ୟରେ ସଂକ୍ରମଣର ବୃଦ୍ଧି ନେଇ ସୂଚନା ଦେଇଥିଲେ । ତେବେ ସେଥିପାଇଁ ଆମେ ଡରିବା ନାହିଁ, ସତର୍କ ହେବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ଉଠିବା ପୂର୍ବରୁ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଅଟକ ପଡିଥିବା ପ୍ରବାସୀ ଓଡିଆ ଶ୍ରମିକ, ଛାତ୍ରଛାତ୍ରୀ, ବୃତ୍ତିଜିବୀ ନିଜ ବ୍ୟବସ୍ଥାରେ ଓଡିଶା ଫେରିବାରେ ଲାଗି ଛନ୍ତି । ଲକଡାଉନ ପାଇଁ ରେଳପଥ, ପରିବହନ ଓ ଆକାଶ ମାର୍ଗ ବନ୍ଦ ଥିବାରୁ ଏହି ପ୍ରବାସୀମାନେ ନିଜନିଜର ସୁବିଧାରେ ବସ ଯୋଗେ ଓଡିଶା ଫେରୁଛନ୍ତି । ଏହା ପୂର୍ବରୁ ତିନୋଟି ଡଙ୍ଗାରେ ପାଖାପାଖି ୨୫୦ ଜଣ ମତ୍ସ୍ୟଜିବୀ ଚେନ୍ନାଇ ଓ ଆନ୍ଧ୍ର ବିଶାଖାପାଟଣାରୁ ଓଡିଶା ଫେରିଥିଲେ । ସେହିଭଳି ଗୁଜୁରାଟର ସୁରତ ସହରରୁ ପ୍ରଥମେ ଚାରୋଟି ବସରେ ୨୨୦ରୁ ଓଡିଆ ଶ୍ରମିକ ଓଡିଶା ଫେରିଛନ୍ତି । ଏହାପରେ ଆଉ ଦୁଇଟି ବସରେ ୨୦୦ଓଡିଆ ଶ୍ରମିକ ବର୍ତ୍ତମାନ ଓଡିଶା ମୁହାଁ ହୋଇଛନ୍ତି । ସେହିଭଳି ଭଦ୍ରକୁ ମଧ୍ୟ ଦୁଇଟି ବସରେ ସୁରତରୁ ଶ୍ରମିକମାନେ ଫେରିବାର ଖବର ମିଳିଛି । ରାଜସ୍ଥାନର କୋଟାରୁ ପାଖାପାଖି ୪ଖଣ୍ଡ ବସରେ ନିଜ ବ୍ୟବସ୍ଥାରେ ଛାତ୍ରଛାତ୍ରୀମାନେ ଝାରସୁଗୁଡା ରାସ୍ତା ଦେଇ ଓଡିଶା ଭିତରକୁ ଫେରୁଛନ୍ତି । ଏମାନେ ସମସ୍ତେ କେହି ରାଜ୍ୟ ସରକାରଙ୍କ କୋଭିଡ ୧୯ ପୋର୍ଟାଲରେ ପଞ୍ଜିକରଣ କରିନାହାନ୍ତି । ଏମାନଙ୍କ ମଧ୍ୟରୁ ଅଳ୍ପକିଛି ପଞ୍ଜିକରଣ କରିଥିବା ବେଳେ ସେମାନଙ୍କର ଆତ୍ମୀୟ ଯେଉଁମାନେ ଓଡିଶାରେ ଅଛନ୍ତି ସେମାନେ ପଞ୍ଚାୟତସ୍ତରରେ ପଞ୍ଜିକରଣ କରିଥିବା ସ୍ଥାନୀୟ ଜିଲ୍ଲା ପ୍ରଶାସନ କହିଛନ୍ତି । କୋଭିଡ ୧୯ ପୋର୍ଟାଲର ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରବାସୀ ପ୍ରଥମେ ପଞ୍ଜିକରଣ କରିବେ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଓଡିଶା ଫେରିବା କଥା । ମାତ୍ର ଏ ସବୁ ଭ୍ରୁକ୍ଷେପ ନକରି ଲକଡାଉନ ନିୟମ ଭାଙ୍ଗି ଫେରୁଥିବା ପ୍ରବାସୀଙ୍କ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ସଂକ୍ରମଣର ଭୟ ଦେଖିଥିବା ବେଳେ ରାଜ୍ୟବାସୀ ମଧ୍ୟ ଆସନ୍ତା ୨ସପ୍ତାହ ମଧ୍ୟରେ ଓଡିଶାରେ କରୋନା ସ୍ଥିତି କ’ଣ ରହିବ ତାକୁ ନେଇ ସଂଶୟ ପ୍ରକାଶ କଲେଣି । ରାଜ୍ୟବାସୀଙ୍କ ମନରେ ଏହି ସଂକ୍ରମଣ ଭୟ ରହିବା ସ୍ୱାଭାବିକ । ତେଣୁ ଏଭଳି ସ୍ଥିତିରେ ସରକାର ଫେରୁଥିବା ପ୍ରବାସୀଙ୍କୁ ଆନୁଷ୍ଠାନିକ କ୍ୱାରେଣ୍ଟାଇନ ହୋମରେ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା କୁହାଯାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ସରକାର ଖୁବଶୀଘ୍ର ଏ ଦିଗରେ ସଜାଗ ନ ରହିଲେ ଆମକୁ ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଭଳି ଅବସ୍ଥା ଭୋଗିବାକୁ ପଡିପାରେ । ତେଣୁ ସରକାର ତୁରନ୍ତ ଏହା ଉପରେ ଦୃଷ୍ଟି ରଖି କ୍ୱାରେଣ୍ଟାଇନ ପଞ୍ଜିକରଣ, ହେଲଥ ସ୍କ୍ରିନିଂକୁ କଡାକଡି କରିବାକୁ ସାରା ରାଜ୍ୟରୁ ଚିନ୍ତା ପ୍ରକାଟ କରାଯାଇଛି ।

hiranchal ad1
Leave A Reply

Your email address will not be published.

six + eighteen =