ରଥ କାର୍ଯ୍ୟରେ ନିମଗ୍ନ କୁନି କାରିଗର

0 61

ପୁରୀ- ଶ୍ରୀକ୍ଷେତ୍ରର ରଥଖଳା ପାଲଟିଛି କୁନି କାରିଗର ମାନଙ୍କ ପାଇଁ ଚାଟଶାଳି । ନୃସିଂହ ଚତୁର୍ଦ୍ଦଶୀ ଦିନ ରଥଖଳାକୁ ରୂପକାରଙ୍କ ପ୍ରବେଶ ହୋଇଥିବା ବେଳେ କୁନି ରୂପକାର ମାନେ ମଧ୍ୟ ଗୁଜ ଗୁଡିକୁ ରୂପଦେବା କାର୍ଯ୍ୟରେ ନିମଗ୍ନ ଅଛନ୍ତି । ପାଠ ପଢିବା ସହ କୁଳ ସେବାକୁ ବଜାୟ ରଖିବାକୁ ରଥଖଳାରେ ଏମାନେ ନେଉଛନ୍ତି ଶିକ୍ଷା ।
ପାଠ ପଢିବା ସହ ବାପା,ବଡ଼ବାପାଙ୍କ ଠାରୁ ନେଉଛନ୍ତି ରୂପକାର ସେବାର ଶିକ୍ଷା।କୁନି କୁନି ହାତରେ ନିହଣ ଧରି ଚଉପଟ ହୋଇଥିବା ଧଉରା କାଠରେ ରୂପ ଦେଉଛନ୍ତି କୁନି ରୂପକାର । ଏହି କୁନି ରୂପକାର ମାନଙ୍କ ପାଇଁ ରଥଖଳା ସାଜିଛି ଯେମିତି ଟ୍ରେନିଂ ସେଣ୍ଟର । କୁନି କୁନି ହାତର ଯାଦୁକାରୀ ସ୍ପର୍ଶରେ ରୂପ ପାଉଛି ରଥର କୋଣଗୁଜ । କୁନିକୁନି ପାପୁଲି ଖୋଦେଇ କରୁଛି ସିଂହବିରାଳ, ନରବିରାଳ, ଗଜ ବିରାଳ, ନାଟଘୋଡା ଆଦି ଅନେକ ଅଦ୍ଵିତୀୟ କାରିଗରୀ। କୁନି ରୂପକାରଙ୍କ ନିହଣ ମୁନର ଶବ୍ଦରେ ଗୁଞ୍ଜରିତ ହେଉଛି ରଥ ନିର୍ମାଣ ସ୍ଥଳ। ଆଉ ଉପସ୍ଥିତ କାରିଗର ମାନେ କୁନି ଶୀଳ୍ପିଙ୍କ ଚମତ୍କାରିତା ଦେଖି ଉତ୍ସାହିତ ହେଉଥିବା ବେଳେ ବାପାଅଜା ଅମଳର ଏ ସେବାକୁ ଆମେ ବଞ୍ଚାଇ ରଖିବୁ ବୋଲି କହିଛନ୍ତି କୁନି ରୂପକାର। କୁନି ହାତରେ ପାରିଦର୍ଶିତା ଓ ନିପୁଣତା ଏବେ ସୁଦୂର ପ୍ରସାରି ହେଉଥିବା ବେଳେ ପିଲାବେଳୁ ଏହି ରୂପକାର ମାନେ ଜଗନ୍ନାଥଙ୍କ ସେବକ କହି ଗର୍ଵ ଅନୁଭବ କରୁଛନ୍ତି । ଶ୍ରୀମନ୍ଦିର ସତ୍ୱଲିପିର ୮୩ ପରିଚ୍ଛଦରେ ରୂପକାର ସେବା ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ବର୍ଗର ଶିଳ୍ପୀମାନେ ଶ୍ରୀମନ୍ଦିର ସେବା ଅନ୍ତର୍ଭୁକ୍ତ ଯାବତୀୟ କାଠ ଖୋଦେଇ କାମ କରନ୍ତି । କୋଣ ଗୁଜ,ପଟା ଗୁଜ,ପାଶ୍ୱର୍ଦେବତା, ସାରଥୀ, ଘୋଡ଼ା, କଳସ, ସଖୀ, ଶୁଆ ଆଦି ନିର୍ମାଣ କରିବାରେ ଏମାନେ ଦେଖାଇଥାନ୍ତି ନିଜର ପାରିଦର୍ଶିତା। ରୂପକାର ଓ ବଢ଼େଇ ମହାରଣା ବର୍ଗର ଶିଳ୍ପସେବକମାନଙ୍କୁ ବିଶ୍ୱକର୍ମା ବୋଲି କୁହାଯାଏ। ଏବେ ବିଶ୍ୱକର୍ମାଙ୍କ ସୂଚୀରେ କୁନି ରୂପକାର ମାନଙ୍କ ନାମ ଯୋଡି ହୋଇଥିବା ବେଳେ ଅନେକ ଶିଳ୍ପୀଙ୍କ ପାଇଁ ଉତ୍ସାହ ଆଣିଦେଇଛି । ସେପଟେ ଏତେ କୁନି ବୟସରେ ଏମାନଙ୍କ ପାଖରେ ସୃଷ୍ଟି ହୋଇଛି ଅୟୁତ ସମ୍ଭାବନା। ଅନ୍ୟପଟରେ ବୟସ ଓ ପାଠ ପଢିବା ସହିତ ପିଲାଏ ଯୋଉ କାମ କରନ୍ତୁ ବା ଯେଉଁଠି ଥାଆନ୍ତୁ ହେଲେ ଠାକୁରଙ୍କ କାମ କରିବାକୁ ବର୍ଷକୁ ଥରେ ମାତ୍ର ଆସନ୍ତୁ ବୋଲି କହିଛନ୍ତି ରୂପକାର ମାନଙ୍କ ଅଭିବାବକ ।
ଏହି କୁନି ରୂପକାର ମାନେ ମାତ୍ର 5 ବର୍ଷ ବୟସରୁ ଖଡ଼ିଛୁଆଁ ଭଳି ଆରମ୍ଭ କରନ୍ତି ରୂପ ନିର୍ମାଣ ଶିକ୍ଷା । ଏଇ ବୟସରେ ଏମାନଙ୍କ ପାଖରେ ଥିବା କଳାନୈପୁଣର ଝଲକ ବାହାରକୁ ଦିଶୁଥିବା ବେଳେ ଶିଳ୍ପୀ କୁଳର ମର୍ଯ୍ୟାଦା ରକ୍ଷାପାଇଁ ଏମାନଙ୍କ ପାଖରେ ରହିଛି ଅନେକ ସମ୍ଭାବନା ।

hiranchal ad1
Leave A Reply

Your email address will not be published.

4 × 2 =