ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା୫୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣଂକର ମତ୍ୟୁ ରାଜଧାନୀ ଭୁବନେଶ୍ୱରରେ ଚିକିତ୍ସା ସମୟରେ ଘଟିଥିଲା ତଥା ୨୧୮ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ସକ୍ରିୟ ରହିଥିବା ୩୬୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅର୍ଥାତ୍ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ କରୋନା ସାମାଜିକ ସଙ୍କ୍ରମଣର ଚର୍ମ ସ୍ଥିତି ଆଡ଼କୁ ଆଗେଇ ଚାଲିଛି । ଏହି ପ୍ରକାର ନିରନ୍ତର ବଢି ଚାଲିଥିବା ସଙ୍କ୍ରମଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ୧୪ଟି ସୀମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ନିଷିଦ୍ଧ ଅଞ୍ଚଳଠାରୁ ୧୦୦ ମିଟର ଦୂରରେ ରହିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି । ଏହି ନିଷେଧାଦେଶ ଆଜି ଠାରୁ ୫ଦିନ ଅର୍ଥାତ୍ ଶୁକ୍ରବାର ୭ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି । ଏହାସହିତ ଜନସାଧାରଣଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ଯଥା ସମ୍ଭବ ଘରୁ ନବାହାରି ଘର ଭିତରେ ରହିବା ପାଇଁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେମାନେ ଅଧିକରୁ ଅଧିକ ସୁରକ୍ଷିତ ରହି ପାରିବେ ବୋଲି ପରାମର୍ଶ ଦିଆଯାଇଛି ।