ଭୁବନେଶ୍ୱର,୨୮ ।୪: କ୍ୟୁଏସ୍ ୱାଲ୍ର୍ଡ ର୍ୟାଙ୍କିଙ୍ଗ୍ରେ କିଟ୍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଏହି ର୍ୟାଙ୍କିଙ୍ଗ୍ ପ୍ରଦାନ କରାଯିବା ପରେ କିଟ୍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍ ଫାଇଭ୍ ଷ୍ଟାର ରେଟେଡ୍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି । କ୍ୟୁଏସ୍ ମାନଦଣ୍ଡର ସମସ୍ତ ବର୍ଗରେ କିଟ୍କୁ ଫାଇଭ୍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍ ୱର୍ଲଡ୍ ର୍ୟାଙ୍କିଙ୍ଗ୍ରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନକୁ ବିଭିନ୍ନ ମାନଦଣ୍ଡରେ ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍ ୱର୍ଲଡ୍ ର୍ୟାଙ୍କି ‘ଷ୍ଟାର’ ମାନ୍ୟତା ମଧ୍ୟ ପ୍ରଦାନ କରିଥାଏ । ଏଥିରେ ଚଳିତବର୍ଷ ସମଗ୍ର ଭାରତରୁ କିଟ୍ ବିଶ୍ୱବିଦ୍ୟାଳୟକୁ ସର୍ବୋଚ୍ଚ ମାନ୍ୟତା ଫାଇଭ୍ ଷ୍ଟାର ପ୍ରଦାନ କରାଯାଇଛି । କ୍ୟୁଏସ୍ ଫାଇଭ୍ ଷ୍ଟାର ମାନ୍ୟତା ପାଇବାରେ କିଟ୍ ଭାରତର ଏକମାତ୍ର ଅନୁଷ୍ଠାନ । କିଟ୍ ସମଗ୍ର ବିଶ୍ୱରେ ନିଜର ଗୁଣାତ୍ମକ ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବିଶ୍ୱର ବିଭିନ୍ନ ସଂସ୍ଥା ଏହାକୁ ସମୟକୁ ସମୟ ମୂଲ୍ୟାୟନ କରି ମାନ୍ୟତା ପ୍ରଦାନ କରିଥାନ୍ତି । କ୍ୟୁଏସ୍ ଇନ୍ଟେଲିଜେନ୍ସ ଶାଖା ଦ୍ୱାରା କ୍ୟୁଏସ୍ ଷ୍ଟାର ରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । ଆନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ପ୍ରମୁଖ ପ୍ରଦର୍ଶନ ସୂଚକାଙ୍କ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟର ବିସ୍ତୃତ ମୂଲ୍ୟାୟନ କରାଯିବା ପରେ ଏହି ର୍ୟାଙ୍କିଙ୍ଗ୍ ପ୍ରଦାନ କରାଯାଇଥାଏ । ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ତାର ଉତ୍କର୍ଷତା ଓ ବିବିଧତା ପାଇଁ କ୍ୟୁଏସ୍ ଷ୍ଟାର୍ ରେଟିଂ ସିଷ୍ଟମ୍ ଦ୍ୱାରା ଭାରତରେ ପ୍ରଥମ ଥର ଲାଗି ଫାଇଭ୍ ଷ୍ଟାର ମାନ୍ୟତା ପାଇପାରିଛି । ଏହି ମାନ୍ୟତା ବଜାୟ ରଖିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।