ନୂଆଦିଲ୍ଲୀ : ୨୦୦୨ ମସିହା ଲର୍ଡ୍ସ ଗ୍ରାଉଣ୍ଡରେ ଚାଲିଥାଏ ନାଟୱେଷ୍ଟ ସିରିଜ୍ର ଫାଇନାଲ୍ ମ୍ୟାଚ୍ । ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ଟାର୍ଗେଟ୍ ଦିଆଯାଇଥାଏ ବିଶାଳ ୩୨୬ ରନ୍ । ପଡ଼ିଆରେ ଥାଆନ୍ତି ଯୁବରାଜ ସିଂଙ୍କ ସହିତ ମହମ୍ମଦ କୈଫ । ଏ ଦୁହେଁ କ୍ରିଜ୍କୁ ଆସିବା ପୂର୍ବରୁ ଭାରତ ହରାଇ ସାରିଥାଏ ପାଞ୍ଚୋଟି ୱିକେଟ୍ । ଭାରତର ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ଏହି ମ୍ୟାଚ୍ ଜିତିବେ ବୋଲି ଆଶା ବି ଛାଡ଼ି ଦେଇଥିଲେ । କିନ୍ତୁ ଯୁବି-କୈଫ ଯୋଡ଼ି ଇଂଲଣ୍ଡ ବୋଲରଙ୍କୁ ଧୂଲେଇ କରି ଯେଭଳି ଖେଳିଲେ ଶେଷରେ ଅଧିନାୟକ ସୌରଭଙ୍କୁ ସାର୍ଟ ଖୋଲି ଭାରତୀୟ ଜାତୀୟ ପତାକା ଭଳି ଉଡ଼ାଇବା ପାଇଁ ବାଧ୍ୟ ହୋଇଥିଲେ । ଧିରେ ଧିରେ ଓଭର ଶେଷ ହୋଇଆସିବା ସହ ରନ୍ ରେଟ୍ ମଧ୍ୟ ବଢ଼ି ଚାଲିଥାଏ । ଗାଙ୍ଗୁଲି କୈଫ୍ଙ୍କୁ ସୂଚନା ଦେଉଥାନ୍ତି ସିଙ୍ଗିଲ୍ ବାହାର କରି ଯୁବିଙ୍କୁ ବ୍ୟାଟିଂ କରିବାକୁ ଦେବାକୁ । କିନ୍ତୁ ସେ ସୂଚନାକୁ ଖାତିରି ନକରି ସେ ନିଜେ ମଧ୍ୟ ଆଗେଇ ଆସିଥିଲେ ଛକା ମାରିବାକୁ । ଏବଂ ମାରିଥିଲେ ମଧ୍ୟ । ଏହାପରେ ଆରମ୍ଭ ହୋଇଯାଇଥିଲା ଦର୍ଶକଙ୍କ କରତାଳି । କୈଫ ୭୫ ବଲରୁ ୨ଟି ଛକା ଓ ୬ଟି ଚୌକା ବଳରେ ୮୭ ରନ୍ କରି ଶେଷ ପର୍ଯ୍ୟନ୍ତ ନଟ୍ଆଉଟ୍ ରହି ଭାରତକୁ ଚିତ୍ତାକର୍ଷକ ବିଜୟଟିକା ପିନ୍ଧାଇଥିଲେ । ତା’ପରେ ଲର୍ଡ୍ସ ବାଲକୋନୀରେ ସୌରଭଙ୍ଗ ସାର୍ଟ ଖୋଲି ଉଡାଇବା ଆରମ୍ଭ ହୋଇଯାଇଥିଲା । ସେହିଦିନର କଥାକୁ ମନେ ପକାଇ କୈଫ କହିଥିଲେ ଯେ, ମୁଁ ଯଦି ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ କଥା ମାନି ସିଙ୍ଗିଲ୍ କରିଥାନ୍ତି, ତା’ହେଲେ ଖେଳର ମୋଡ଼ ବୋଧହୁଏ ଏଭଳି ପରିବର୍ତ୍ତନ ହୋଇନଥାନ୍ତା । ମୁଁ ମୋର ଚେଷ୍ଟା ଚଳାଇଥିଲି ଏବଂ ଛକା, ଚୌକା ମାରିବା ସହିତ ଯୁବି ଭାଇ ମଧ୍ୟ ସହଯୋଗ କରି ଏହି ମ୍ୟାଚ୍କୁ ଆମେ ଦୁହେଁ ଜିତାଇଥିଲୁ ।