ବୌଦ୍ଧରେ ସିଏମ୍‌ ଟ୍ରଫି ଜୋନ୍‌ସ୍ତରୀୟ ଭଲିବଲ୍‌ ଚାମ୍ପିଅନସିପ୍‌ ଦ୍ୱିତୀୟ ସଂସ୍କରଣ ଉଦଘାଟିତ

0 116

ବୌଦ୍ଧ, ୫।୬(ହୀ. ପ୍ର ): -ଓଡ଼ିଶାର ବୃହତ୍ତମ କ୍ରୀଡ଼ା ଆୟୋଜନ “ସିଏମ୍‌ ଟ୍ରଫି–୨୦୨୬” ଅନ୍ତର୍ଗତ ଜୋନ୍‌ସ୍ତରୀୟ ଭଲିବଲ୍‌ ଚାମ୍ପିଅନସିପ୍‌ର ଦ୍ୱିତୀୟ ସଂସ୍କରଣ ଶୁକ୍ରବାର ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍‌ଠାରେ ଉଦଘାଟିତ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଏବଂ ବୌଦ୍ଧ ଡିଷ୍ଟ୍ରିକ୍ଟ ଆଥଲେଟିକ୍ସ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତା ଜିଲ୍ଲାର କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ସୃଷ୍ଟି କରିଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଡିଷ୍ଟ୍ରିକ୍ଟ ଆଥଲେଟିକ୍ସ ଆସୋସିଏସନ୍‌ର ସଭାପତି ବିଭୁତି ଭୂଷଣ ନାୟକ ଯୋଗଦେଇ କ୍ରୀଡ଼ା ପତାକା ଉତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଆସୋସିଏସନ୍‌ର ଉପସଭାପତି ପ୍ରଭାସ ଚନ୍ଦ୍ର ଦଣ୍ଡସନା, କ୍ରୀଡା ଅଧିକାରୀ ତଥା ଆସୋସିଏସନ୍‌ର ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ ଭୂୟାଁ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲ ମଞ୍ଚାସୀନ ଥିଲେ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ |

hiring

ଅତିଥିମାନେ ଖେଳାଳିମାନଙ୍କୁ କ୍ରୀଡ଼ାସୁଲଭ ମନୋଭାବ ବଜାୟ ରଖି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ,କ୍ରୀଡ଼ା କେବଳ ହାର-ଜିତରେ ସୀମିତ ନୁହେଁ, ବରଂ ଏହା ଶୃଙ୍ଖଳା, ଏକତା, ସହନଶୀଳତା ଓ ଭାଇଚାରାର ବାର୍ତ୍ତା ବହନ କରେ। ଖେଳାଳିମାନେ କେବେ ହାର-ଜିତକୁ ଆଧାର କରି ଖେଳିବା ଉଚିତ ନୁହେଁ ବରଂ ନିଜର ଦକ୍ଷତା, ପରିଶ୍ରମ ଓ କ୍ରୀଡ଼ା ମନୋଭାବକୁ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାଦ୍ୱାରା ଜଣେ ଖେଳାଳି ଜୀବନରେ ସଫଳତାର ଶିଖରକୁ ପହଞ୍ଚି ପାରିବେ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି। ଏହି ଜୋନ୍‌ସ୍ତରୀୟ ପ୍ରତିଯୋଗିତାରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଗଜପତି ଜିଲ୍ଲାରୁ ପ୍ରାୟ ୨୪୦ ଜଣ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଛନ୍ତି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଭାବାନ ଖେଳାଳିମାନେ ନିଜ ଜିଲ୍ଲା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଦିବାରାତ୍ର ଭିତ୍ତିରେ ଆୟୋଜିତ ଏହି ଚାମ୍ପିଅନସିପ୍‌ର ଉଦଘାଟନୀ ମ୍ୟାଚ ଗଜପତି ଓ ବୌଦ୍ଧ ର ବାଳକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ଖେଳକୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଖେଳାଳିମାନଙ୍କ ଚମତ୍କାର ପ୍ରଦର୍ଶନ ଓ ଦର୍ଶକଙ୍କ ଉତ୍ସାହ ପ୍ରତିଯୋଗିତାକୁ ଅଧିକ ଆକର୍ଷଣୀୟ କରିଥିଲା। ପ୍ରତିଯୋଗିତାର ସୁପରିଚାଳନା ପାଇଁ ୧୦ ଜଣ ଖେଳ କୋଚଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି l

hiranchal ad1
Leave A Reply

Your email address will not be published.

4 + nine =