ବୌଦ୍ଧ,୯ା୧୧: ବୌଦ୍ଧରେ ଆସନ୍ତା ୧୩ ତାରିଖ ଦିନ ମେଗା ଆଇନସେବା ଶିବିର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଅଧ୍ୟକ୍ଷତା କରି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ସହଯୋଗ କାମନା କରିବା ସହିତ ପ୍ରତ୍ୟେକ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ହିତାଧିକାରୀମାନଙ୍କ ପାଇଁ ନିଜ ନିଜ ବିଭାଗର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ପ୍ରଚାରପତ୍ର ପ୍ରସ୍ତୁତ କରି ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ଶିବିରରେ ଆର୍ଶିବାଦ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ବନବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାରା ବଣ୍ଟନ, ମେଡିକାଲ ପକ୍ଷରୁ ମାସ୍କ ବଣ୍ଟନ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁର୍ଘଟଣାରେ ସହାୟତାକାରୀଙ୍କୁ ପୁରସ୍କାର ରାଶି ବଣ୍ଟନ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ସହାୟତା ବଣ୍ଟନ ସମେତ ସମସ୍ତ ସରକାରୀ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯିବ । ଏହି ଆଭାସି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂସ୍ଥାପନା ଅଧିକାରୀ ଶାନ୍ତିସୁଧା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।