ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇବା ପାଇଁ କେନ୍ଦ୍ର କରୁଛି ଚିନ୍ତା

0 193

ଭୁବନେଶ୍ୱର: ଲକ୍‌ଡାଉନ୍ ଅବଧି ଆସନ୍ତା ମଇ ୩ ତାରିଖରେ ଶେଷ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂରେ ଦେଶର ପ୍ରମୁଖ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ମୁଖ୍ୟତଃ ତିନୋଟି ପ୍ରସଙ୍ଗରେ ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିମଧ୍ୟରୁ ପ୍ରଥମ ପ୍ରସଙ୍ଗଟି ବହୁ ଗୁରୁତ୍ୱପୂର୍ଣ୍ଣ, ଯାହାକି ସମଗ୍ର ଦେଶରେ ପ୍ରବାସୀ ଶ୍ରମିକ ଶ୍ରେଣୀର ଲୋକ ଅଟକ ରହିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସେମାନେ ନିଜ ନିଜର ରାଜ୍ୟକୁ ଫେରିବା ପାଇଁ ଚାହୁଁଥିବା ବେଳେ ଲକ୍‌ଡାଉନ୍ କଟକଣା ସେମାନଙ୍କୁ ଅଟକାଇ ରଖିଛି । ତେବେ ସାମାଜିକ ଦୂରତ୍ୱ କରୋନା ମହାମାରୀକୁ ରୋକିବା ପାଇଁ ପ୍ରଧାନ ପ୍ରତିଷେଧକ ହୋଇଥିବାରୁ ଏହାକୁ ପାଳନ କରିବା ପାଇଁ ଦେଶ ବାଧ୍ୟ ହୋଇଛି । ତେବେ ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକୁ ମାନବିକତା ଦୃଷ୍ଟିରୁ ଅଟକ ପଡ଼ିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ପାଇଁ କେନ୍ଦ୍ର ହିଁ ନିଷ୍ପତ୍ତି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କାଳରେ କହିଛନ୍ତି । ସେହିଭଳି, ଲକଡାଉନ୍‌ର ଅବଧି ଆଉ ବୃଦ୍ଧି କରାଯିବାର ଆବଶ୍ୟକତା ଅଛି କି ନା ଏ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ଦେଶର କେତେକ ରାଜ୍ୟ ଲକ୍‌ଡାଉନ୍ ବୃଦ୍ଧି ସପକ୍ଷରେ ଯୁକ୍ତି ଦର୍ଶାଇଥିବା ବେଳେ ଆମ ରାଜ୍ୟ ଓଡ଼ିଶା ମଧ୍ୟ ଲକ୍‌ଡାଉନ୍ ବୃଦ୍ଧି ପାଇଁ ଚାହୁଁଥିବା ଜଣାପଡ଼ିଛି । ଅବଶ୍ୟ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ରାଜ୍ୟ ସରକାର ଗୋଟିଏ ମାସ ଲକ୍‌ଡାଉନ୍ ଅବଧି ହେଉ ବୋଲି ମତ ରଖିଛନ୍ତି । ସେହିଭଳି, ଅନ୍ୟ ଏକ ପ୍ରସଙ୍ଗ କ୍ରମରେ କରୋନା ମହାମାରୀ ପାଇଁ ବିଭିନ୍ନ ବର୍ଗର ଲୋକେ ହାତ ବାନ୍ଧି ବସିଥିବାରୁ ଦେଶର ଅର୍ଥନୀତି ବିଗିଡ଼ିବାରେ ଲାଗିଛି । ତେବେ ଏହାକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ମଧ୍ୟ କନଫରେନ୍ସିଂ ବେଳେ ଆଲୋଚନା ହୋଇଥିଲା । ତେବେ କେନ୍ଦ୍ର ଏ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି କରିବ ବୋଲି କନଫରେନ୍ସିଂରେ ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୂତ ଏହି କନଫରେନ୍ସିଂରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ୍ ପ୍ରମୁଖ ଅଂଶଗ୍ରହଣ କରି ଲକ୍‌ଡାଉନ୍ ସପକ୍ଷରେ ମତ ରଖିଥିବା କୁହାଯାଇଛି । ଭିଡ଼ିଓ କନଫରେନ୍ସିଂରେ ଅନ୍ୟମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

three + twelve =