କେନ୍ଦ୍ରାପଡ଼ା: ଯୋରରୁ ଡଙ୍ଗା ଗୋଟାଇବା କାଳ ହେଳା। ଡଙ୍ଗା ଗୋଟାଉ ଗୋଟାଉ ପାଣିରେ ବୁଡ଼ିଗଲେ ୨ ଭଉଣୀ। ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର । ଏପରି ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଜଅଁରା ବାରିମୂଳ ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ମୃତକଦ୍ୱୟ ୨ ଭଉଣୀ ବୋଲି ଓ ସେମାନଙ୍କ ନାଁ ଶୁଭସ୍ମିତା ମଲିକ ଓ ମଧୁସ୍ମିତା ମଲିକ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ବିପିନ ମଲିକଙ୍କ ୨ ଝିଅ ଘର ପାଖରେ ଖେଳୁଥିଲେ। ଏହି ସମୟରେ ତାଙ୍କ ବାପା କାମକୁ ଯାଇଥିବା ବେଳେ ମା’ ଘରେ କାମ କରୁଥିଲେ। ଏହି ସମୟରେ ୨ ଭଉଣୀ ଯୋରରେ ଡଙ୍ଗା ଭାସୁଥିବା ଦେଖି ତାହାକୁ ଆଣିବାକୁ ପଳାଇଥିଲେ। ହେଲେ ଅସାବଧାନତା ହେତୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା ଓ ପାଣିରେ ବୁଡ଼ି ଯାଇଥିଲେ।ଏହାପରେ ଗାଁ ଲୋକେ ଉଭୟଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଉଭୟଙ୍କ ମୃତଦେହ ଯୋରରୁ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି।