ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଗୋଶାଣି ବ୍ଳକ ଲାବଣ୍ୟ ଗଡ଼ ପଞ୍ଚାୟତର ମାରିଙ୍ଗି ଠାରେ ୨୦୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି । ଏହି ୟୁନିଟ ଅଦରକାରୀ ଖାଦ୍ୟ ପଦାର୍ଥ ଯଥା ପନିପରିବା, କୁଣ୍ଡା, ମକାକୁ କଞ୍ଚାମାଲ ହିସାବରେ ଗ୍ରହଣ କରିବ । ଏହି ପ୍ରକଳ୍ପ ୨୦୨୩ ଜାନୁୟାରୀରେ କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇ ଥିବା ବେଳେ ଏଥିରେ ପ୍ରତ୍ୟକ୍ଷ ଭାବେ ୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ଲକ୍ଷ୍ୟ ରଖାଯାଇଛି । ପରୋକ୍ଷ ଭାବେ ବିଭିନ୍ନ କୃଷି ଭିତ୍ତିକ ଶ୍ରମିକ ଏବଂ କୃଷକମାନେ ମଧ୍ୟ ନିୟୋଜିତ ହେବାର ଯୋଜନା ରହିଛି । ଏହି ପ୍ରକଳ୍ପର କ୍ଷମତା ଦିନକୁ ୧୫୮ କିଲୋ ଲିଟର ରହିଛି । ଏହି ପ୍ରକଳ୍ପ ନିମନ୍ତେ ଇଡ଼କୋ ୩୦ ଏକର ଜମି କମ୍ପାନୀକୁ ଯୋଗାଇ ଦେଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଇଡ଼କୋ ଡିଭିଜନାଲ ମୁଖ୍ୟ ବ୍ରହ୍ମପୁରର ଅଶୋକ କୁମାର ମିଶ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ ପ୍ରମୁଖ ଯୋଗ ଦେଇଥିବାବେଳେ କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ଼, ବିଶାଖାପଟଣାର ଅଧ୍ୟକ୍ଷ ଟି. ବାଲସ୍ୱରାଜ ଏବଂ ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଭାନେସ୍ୱା ବାଲ ସ୍ୱରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଷ୍ଟାଲ ବାୟୋଟେକ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ ରବୀନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ ।