ବିଧାନସଭାର ଶୀତ ଅଧିବେଶନ ଆରମ୍ଭ

0 45

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ଗୃହକୁ ଆସିବା ପରେ ବିଧି ଓ ପରମ୍ପରା ଅନୁଯାୟୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ବାଚସ୍ପତି ଗୃହରେ ଶୋକପ୍ରସ୍ତାବ ଆଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେସିଂ ଯୋଗେ ଗୃହରେ ଶୋକପ୍ରସ୍ତାବ ଆଗତ କରିଥିଲେ । ଗଡର ପୂର୍ବତନ ଉପବାଚସ୍ପତି ସ୍ୱର୍ଗତ ପ୍ରହଲ୍ଲାଦ ଦୋରା, ଗୃହର ପୂର୍ବତନ ସଦସ୍ୟ ସ୍ୱର୍ଗତ ଉମେଶ ଚନ୍ଦ୍ର ସ୍ୱାଇଁ, ଗୃହର ପୂର୍ବତନ ସଦସ୍ୟ ରାମରାୟ ମୁଣ୍ଡାଙ୍କ ସମେତ ଓଡିଶା ପୋଲିସର ପୂର୍ବତନ ସିପାହୀ ସୀତାରାମ ମୁର୍ମୁ ଓ କରୋନାରେ ପ୍ରାଣ ହରାଇଥିବା ସମସ୍ତ ସଦସ୍ୟ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହ ଗୃହ ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସମର୍ଥନ କରି ବିରୋଧିଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ସେହି ଦିବଙ୍ଗତ ସଦସ୍ୟମାନଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର ସ୍ୱର୍ଗତ ସଦସ୍ୟ ମାନଙ୍କ ଗୁଣାବଳୀ ସ୍ମରଣ କରି ଅମରଆତ୍ମାର ସଦଗତି ନିମନ୍ତେ ବିଧାନସଭା ଗୃହ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ ଦିବଙ୍ଗତ ସଦସ୍ରମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ବାଚସ୍ପତି ଡ. ପାତ୍ର ଏହି ସମୟରେ ଘୋଷଣା କରିଥିଲେ, ଗୃହର ପୂର୍ବତନ ଉପବାଚସ୍ପତିଙ୍କ ସମ୍ମାନାର୍ଥେ ଆଜି ଗୃହର ପ୍ରଥମାର୍ଦ୍ଧ ଅଧିବେଶନର କୌଣସି କାର୍ଯ୍ୟ ହେବନାହିଁ । ଦ୍ୱିତୀୟାଦ୍ଧ ଅଧିବେଶନ କାର୍ଯ୍ୟ ଯାଥାରୀତି ହେବ । ଏହା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

two × two =