ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରୀବନ୍ଧା ପଞ୍ଚାୟତର ଖୁରିଗାଁ ଗ୍ରାମରେ ବିଜେଡି ପକ୍ଷରୁ ଏକ ମିଶ୍ରଣ-ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ଦଳର ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ-ପର୍ବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ରାୟଗଡା ଜିଲ୍ଲା ସଭାପତି ସୁଧୀର ଦାସ, ଜିଲ୍ଲା ଯୁବ ସଭାପତି ଏସ୍. ଲିଙ୍ଗରାଜ, ହାଇଟେକ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଓ ନିର୍ଦ୍ଦେଶକ ରୁପେଶ ପାଣିଗ୍ରାହୀ, କାଶୀନଗର ବିଜେଡି ବ୍ଲକ ସଭାପତି ଆର୍.ରାମ ପ୍ରସାଦ, ନଗର ସଭାପତି ରଘୁରାମ ସାହୁ, ନଗର ଯୁବ ସଭାପତି ରାଜେଶ ମିଶାଲ, ଅନ୍ୟତମ ନେତା ଗାବରା ତିରୁପତି ରାଓ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।
ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଗଜପତି ଜିଲ୍ଲାବାସୀଙ୍କ ସହ ବିଶେଷ କରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସହ ଆଲୋଚନା ବେଳେ ସେ ବିଜେଡି ସପକ୍ଷରେ ସ୍ପଷ୍ଟ ବହୁମତ ଥିବା ଜାଣି ପାରିଛନ୍ତି । ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ଓ ସେ ସବୁକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନବୀନ ସରକାର ଅଦ୍ୱିତୀୟ ବୋଲି କହି ରାଜ୍ୟରେ ନବୀନ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ କହିଥିଲେ ।
ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଏକ ଆଦର୍ଶ ସାଜିଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟପକ୍ଷରେ ସେ କହିଥିଲେ ଯେ , ନିକଟ ଅତୀତରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ସେହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପିତୃ ତୁଲ୍ୟ ବୋଲି କହିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ସରକାର ଅନ୍ୟ ରାଜ୍ୟଗୁଡିକ ପାଇଁ ଆଜି ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତା’ର କୌଣସି ତୁଳନା ନାହିଁ ବୋଲି କହିଥିଲେ ।
ମଞ୍ଚାସୀନ ଥିବା ଅନ୍ୟ ନେତା ମାନେ ମଧ୍ୟ ନିଜନିଜର ବକ୍ତବ୍ୟରେ ନବୀନ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରିତା ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ଗୁଣଗାନ କରିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ ସମର୍ଥକ ମାନଙ୍କ ସମେତ କାଶୀନାଗର ବ୍ଲକର ଖାଣ୍ଡବା ପଞ୍ଚାୟତ ସରପଞ୍ଚ ଶ୍ରୀ ଜଗନ୍ନାଥ ଦୋରା ବିଜେଡି ଦଳରେ ଯୋଗ ଦେଇଥିଲେ ।
ଏତତ ବ୍ୟତୀତ ବିଭିନ୍ନ ପଞ୍ଚାୟତର ଦୁଇଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ଦଳରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ ।