ପରଲୋକରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀ

0 76

କୋଲକାତା: ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ସନ୍ଧ୍ୟା ମୁଖାର୍ଜୀଙ୍କର ଆଜି ଏଠାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା କାରଣରୁ ସେ ହସ୍ପିଟାଲରେ ଥିଲେ । ଆଜି ହଠାତ୍‌ ସେ ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଥିଲା । ଶେଷରେ ସେ ଆଖି ବୁଜିଥଲେ । ୬୦ ଓ ୭୦ ଦଶକରେ ସନ୍ଧ୍ୟା ମୁଖାର୍ଜୀଙ୍କ ଗୀତ ବେଶ ଚର୍ଚ୍ଚାରେ ରହିଥିଲା । ସେ ବେଙ୍ଗଲୀ ଭାଷାରେ ପ୍ରାୟ ହଜାରେରୁ ଅଧିକ ଗୀତ ଗାଇଛନ୍ତି । ଏହାବାଦ ଅନ୍ୟ ୧୨ଟି ଭାଷାରେ ମଧ୍ୟ ସେ କଣ୍ଠଦାନ କରିଥିଲେ । କଣ୍ଠଶିଳ୍ପୀ ହେମନ୍ତ ମୁଖାର୍ଜୀଙ୍କ ସହ ତାଙ୍କର ଯୁଗଳବନ୍ଦୀ ସମସ୍ତଙ୍କୁ ପସନ୍ଦ ଆସୁଥିଲା । ସଂଗୀତ ଜଗତ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ୨୦୧୧ରେ ବେଙ୍ଗଲ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ବେସାମରିକ ସମ୍ମାନ ବଙ୍ଗ ବିଭୂଷଣରେ ସମ୍ମାନିତ କରିଥିଲେ । ୧୯୭୦ରେ ଜୟ ଜୟନ୍ତୀ ପାଇଁ ତାଙ୍କ ଶ୍ରେଷ୍ଠ ପ୍ଲେବ୍ୟାକ ସିଙ୍ଗର ଭାବେ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । ଚଳିତ ବର୍ଷ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରିଥିଲେ । ହେଲେ ଏହାକୁ ସେ ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଝିଅ ସୌମୀ ଗୁପ୍ତା ପଦ୍ମଶ୍ରୀ ଗ୍ରହଣ କରିବାକୁ ମା’ ଚାହୁଁ ନଥିବା ସୂଚନା ଦେଇଥିଲେ । ସେତେବେଳେ ସେ କହିଥିଲେ, “ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଟେଲିଫୋନ୍‌ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ସମ୍ପତି ମାଗିଥିଲେ । ହେଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ । ପରିଣତ ବୟସରେ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯିବା ଘଟଣାରେ ସେ ଅପମାନିତ ଅନୁଭବ କରୁଥିବା ମଧ୍ୟ କହିଥିଲେ । ତାଙ୍କ ବିୟୋଗରେ ଆଜି ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six + 6 =