ଋଷ୍ର ଦିଲ୍ଖୁସ୍ ଅଫର : ଭାରତ ଯାହା ଚାହିଁବ ଆମେ ତାହା ଦେବୁ
ନୂଆଦିଲ୍ଲୀ,୧/୪ : ଋଷ୍-ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଗଲାଣି । ବନ୍ଦ ହେବାର ସୂଚନା ବି ମିଳୁ ନାହିଁ । ଭାରତ ଏ ପର୍ଯ୍ୟନ୍ତ କାହାକୁ ସମର୍ଥନ ନକରି ନିରପେକ୍ଷ ରହିଆସିଛି । ତେବେ ଋଷ୍କୁ ବିରୋଧ କରୁନଥିବାରୁ ଆମେରିକା ଏହା ଉପରେ ଭୀଷଣ କ୍ଷୁ୍ବ୍ଧ । ଏପରିକି,ଆମେରିକା ଧମକ ଦେବା ଆରମ୍ଭ କରିଦେଇଛି । ବେଳେବେଳେ ପ୍ରଲୋଭନ ଦେଖାଉଛି । ଏଭଳି ସ୍ଥିତିରୁ ଫାଇଦା ଉଠାଇବା ପାଇଁ ଋଷ୍ ତତ୍ପର ହୋଇ ଉଠିଛି । ଋଷର ବୈଦଶିକ ମନ୍ତ୍ରୀ ଏବେ ଭାରତ ଗସ୍ତରେ ଅଛନ୍ତି । ଋଷର ବୈଦଶିକ ମନ୍ତ୍ରୀ ଭାରତର ବିଦେଶ ନୀତିକୁ ବାରମ୍ବାର ପ୍ରଶଂସା କରିବା ସହ କହିଛନ୍ତି, ଋଷ ଠାରୁ ନୂଆଦିଲ୍ଲୀ ଯଦି କିଛି କିଣିବାକୁ ଚାହୁଁଛି ତେବେ ଏହାକୁ ଯୋଗାଇ ଦେବାକୁ ଆମେ ପ୍ରସ୍ତୁତ । ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ଲାବରୋବ କହିଛନ୍ତି, ଯାହାକୁ ବିଶ୍ୱ ଯୁଦ୍ଧ କହୁଛି ତାହା ସତ ନୁହେଁ । ଏହା ଏକ ବିଶେଷ ଅପରେସନ । ଯେଉଁଥିରେ ସୈନ୍ୟ ଶିବିର ଉପରେ ଆକ୍ରମଣ କରାଯାଉଛି । ଆମର ଉଦ୍ଦେଶ୍ୟ ହେଉଛି, ଋଷ ପାଇଁ ଆସୁଥିବା କୌଣସି ବିପଦକୁ ପ୍ରତିହତ କରିବା । ଋଷର ବୈଦଶିକ ମନ୍ତ୍ରୀ ସଗ୍ରେଇ ଲାବରୋବ ବୁଧବାର ଠାରୁ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି । ଚୀନ ଗସ୍ତ ଶେଷ କରି ଭାରତ ଆସିଛନ୍ତି ଋଷର ବୈଦଶିକ ମନ୍ତ୍ରୀ । ୟୁକ୍ରେନ ଉପରେ ଆକ୍ରମଣ ଭିତରେ ଏହା ହେଉଛି ଋଷ ବୈଦଶିକ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ । ଭାରତର ବୈଦଶିକ ମନ୍ତ୍ରୀ ଓ ଋଷର ବୈଦଶିକ ମନ୍ତ୍ରୀଙ୍କ ମଧ୍ୟରେ ଏଭଳି ସମୟରେ ବୈଠକ ହୋଇଛି, ଯେତେବେଳେ ଋଷର ପ୍ରତିବନ୍ଧକରେ ବାଧକ ସାଜୁଥିବା ଦେଶକୁ ଆମେରିକା ପରୋକ୍ଷରେ ଧମକ ଦେଇଛି । ଉଭୟ ଋଷ ଓ ଭାରତ ମଧ୍ୟରେ ଆଲୋଚନା ଶେଷ ପରେ ଭାରତ ଋଷ ଠାରୁ କମ ଦରରେ ତେଲ କିଣିପାରେ ବୋଲି ଚର୍ଚ୍ଚା ହେଉଛି ।