ସମ୍ବଲପୁର : କରୋନା କଟକଣା ପାଇଁ ଗତ ଦୁଇବର୍ଷ କାଳ ସ୍ଥଗିତ ରହିବା ପରେ ଚଳିତବର୍ଷ ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱର ମନ୍ଦିର ଠାରେ ଶୀତଳଷଷ୍ଠୀ ଯାତ୍ରା ଧୁମଧାମ ସହିତ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବେଣୁଧର ଦାସଙ୍କ ସଭାପତିତ୍ୱରେ ଏବର୍ଷ ନୂତନ ସମିତି ଗଠନ ପାଇଁ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସର୍ବ ପ୍ରଥମେ ଦିବଙ୍ଗତ କଳାକାର ସୂର୍ଯ୍ୟ ନନ୍ଦଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇ ଏହି ଯାତ୍ରାକୁ ସଫଳ କରିବା ପାଇଁ ତାଙ୍କର ବହୁମୂଲ୍ୟ ଯୋଗଦାନ କଥା ସ୍ମରଣ କରାଯାଇଥିଲା । ସମସ୍ତଙ୍କ ସୁଚିନ୍ତିତ ମତାମତ ସହିତ ଗଠିତ ନୂତନ ସମିତି ପାଇଁ ସୁଶାନ୍ତ କୁମାର ବରାଇଙ୍କୁ ସଭାପତି, ଜୀତେନ୍ଦ୍ର ନନ୍ଦଙ୍କୁ ଉପସଭାପତି ଓ ସମୀର ରଞ୍ଜନ ବାବୁଙ୍କୁ ମୁଖ୍ୟ ସଂଯୋଜକ ଭାବେ ମନୋନୀତ କରା ଯାଇଛି । ଏହା ସହିତ ଆଶୀଷ ବାବୁଙ୍କୁ ସମ୍ପାଦକ, ପ୍ରଭୂଦତ୍ତ ପଣ୍ଡା ଓ ବିଷ୍ଣୁ ପ୍ରସାଦ ପାଢ଼ୀଙ୍କୁ ସହ ସମ୍ପାଦକ, ଭୁବନ ମୋହନ ମିଶ୍ର ଓ ଆଭାଶୀଷ ମିଶ୍ରଙ୍କୁ କୋଷାଧ୍ୟକ୍ଷ ତଥା ସୁଶୀତ ମିଶ୍ର ଓ ବିରାଜ ମିଶ୍ରଙ୍କୁ ମିଡ଼ିଆ ସଂଯୋଜକ ମନୋନୀତ କରାଗଲା । ଏହା ବ୍ୟତୀତ ସାଂସ୍କୃତିକ ଦଳ, ରହଣୀ ଓ ଖାଦ୍ୟ ପରିଚାଳନା ପାଇଁ ଉପସମିତି ତଥା ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି ।