ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଆଜି ଚତୁର୍ଥ ମାମଲା ଚିହ୍ନଟ ହୋଇଛି । ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀର । ସମ୍ପ୍ରତି ଉକ୍ତ ୩୧ ବର୍ଷିୟ ଆକ୍ରାନ୍ତଜଣକ ଦିଲ୍ଲୀର ମେଲାନା ଆଜାଦ୍ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ‘ମଙ୍କିପକ୍ସ’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଜଣକ ହିମାଚଳ ପ୍ରଦେଶର ମନାଲିରେ କେବଳ ପୁରୁଷମାନେ ଯୋଗଦେଉଥିବା ଏକ ବିବାହ ପାର୍ଟିରେ ଯୋଗ ଦେଇଥିଲେ । ଜ୍ୱର ଏବଂ ଦେହରେ ଘା’ ହେବାରୁ ୩ ଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ନିମନ୍ତେ ତାଙ୍କର ନମୁନା ଶନିବାର ଦିନ ପୁଣେସ୍ଥିତ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି’କୁ ପଠାଯାଇଥିଲା । ସେ ମଙ୍କିପକ୍ସ୍ ଭୂତାଣୁଦ୍ୱାରା ଆକ୍ରାନ୍ତ ବୋଲି ରିପୋର୍ଟ ପଜିଟିଭ୍ ଆସିବା ପରେ ଜଣାପଡିଛି । ପୂର୍ବରୁ କେରଳରେ ୩ଟି ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇଥିଲା । ସୂଚନାଯୋଗ୍ୟ, ଶନିବାର ଦିନ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ‘ମଙ୍କିପକ୍ସ’କୁ ବୈଶ୍ୱିକ ଜନସ୍ୱାସ୍ଥ୍ୟ ସଙ୍କଟ ବୋଲି ଘୋଷଣା କରିବା ସହ ଏହା ଆନ୍ତର୍ଜାତିକ ଉଦ୍ବେଗର କାରଣ ବୋଲି କହିଛନ୍ତି । ସଂକ୍ରମିତ ପ୍ରାଣୀଙ୍କ ସହ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବାଦ୍ୱାରା ‘ମଙ୍କିପକ୍ସ୍’ ଭୂତାଣୁ ମନୁଷ୍ୟ ଦେହକୁ ସଂକ୍ରମିତ ହୋଇଥାଏ ।