ନଆଦିଲ୍ଲୀ: ହେରାଲ୍ଡ ହାଉସରେ ଚଢଉ ପରେ ଆଜି ଏହି ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ଆଜି ସିଲ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଏହାପରେ, ଉତ୍ତେଜନା ଆଶଙ୍କାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସ ଭବନ ବାହାରେ ସଙ୍ଗେ ସଙ୍ଗେ ପୁଲିସ ମୁତୟନ କରାଯାଇଛି । ନ୍ୟାଶନାଲ ହେରାଲ୍ଡ ଖବର କାଗଜକୁ ଆସୋସିଏଟ ଜର୍ଣ୍ଣାଲ ଲିଃ ଚଳାଉଥିଲା । ଏହାକୁ ୟଙ୍ଗ ଇଣ୍ଡିଆନ ଲିଃ ଅଧିଗ୍ରହଣ କରିଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଛି । ଏଥିପାଇଁ ହେରାଲ୍ଡ ହାଉସରେ ଥିବା ୟଙ୍ଗ ଇଣ୍ଡିଆନ ଲିଃ ଅଫିସକୁ ସିଲ କରାଯାଇଛି । ଅଫିସକୁ ସିଲ କରାଯିବା ସହ କଂଗ୍ରେସ ମୁଖ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ବ୍ୟାରିକେଡ କରାଯାଇଛି । ସେହିପରି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଛି । ମଙ୍ଗଳବାର ଇଡିର ଅଧିକାରୀମାନେ ଏହି ବିଲଡିଂରେ ରେଡ କରିଥିଲେ । ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତଦନ୍ତକାରୀ ସଂସ୍ଥାର ବିନା ଅନୁମତିରେ କେହି ବି ସିଲ୍ ଅଫିସକୁ ଖୋଲି ପାରିବେ ନାହିଁ ବୋଲି ଇଡିର ଜଣେ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।