ଦମଦାର ପ୍ରଦର୍ଶନ ସହ ସେମିରେ ଭାରତୀୟ ମହିଳା ହକି ଦଳ

0 66

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ଦଳ । ସବିତା ପୁନିଆଙ୍କ ଭାରତୀୟ ଟିମ ଆଜି ଜବରଦସ୍ତ ପ୍ରଦର୍ଶନ କରିଛି । ଆଜି ଦଳ କାନାଡାକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ସ୍ଥାନ ପକ୍କା କରିଛି । ଭାରତ ଗ୍ରୁପ ଏରେ ଦ୍ୱିତୀୟ ସ୍ଥାନରେ ରହି ଟପ୍‌ ୪ରେ ପହଞ୍ଚିଛି । କାନାଡାକୁ ସେମିକୁ ଯିବା ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ କେବଳ ଡ୍ର କରିବାର ଥିଲା । ହେଲେ ଭାରତ ଦଳର ସବୁ ଯୋଜନାରେ ପାଣି ପକାଇ ଦେଇଛି । ମ୍ୟାଚ୍‌ ସରିବାକୁ ୯ ମିନିଟ୍‌ ବାକି ଥିବା ବେଳେ ଲାଲରେସିଆମି କରିଥିବା ଗୋଲ ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଭାରତ ପେନାଲ୍ଟି କର୍ଣ୍ଣରରେ ବିଫଳ ହେବା ପରେ ହିଁ ସିଆମି କାନାଡା ଗୋଲ କିପରଙ୍କୁ ଚକମା ଦେଇ ସ୍କୋର କରିଥିଲେ । ଆଜିର ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମଦାର ଆରମ୍ଭ କରିଥିଲା । ମ୍ୟାଚର ତୃତୀୟ ମିନିଟରେ ସଲିମା ଟିଟେ ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରି ଦେଇଥିଲେ । ସେହିପରି ୨୨ତମ ମିନିଟରେ ନବନୀତ କୌର ଟିମ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରି ସ୍ଥିତିକୁ ୨-୦ କରି ଦେଇଥିଲେ । ଏହାପରେ ମଧ୍ୟ ଦଳକୁ ଏକାଧିକ ଗୋଲ ସ୍କୋର କରିବାର ସୁଯୋଗ ମିଳିଥିଲା । ହେଲେ ଏହାର ଫାଇଦା ଦଳର ଖେଳାଳିମାନେ ଉଠାଇ ପାରି ନଥିଲେ । ମ୍ୟାଚ୍‌ର ୨୩ତମ ମିନିଟରେ କାନାଡାର ବି ଷ୍ଟାର୍ସ ଗୋଲ ସ୍କୋର କରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ତୃତୀୟ କ୍ୱାର୍ଟରରେ କାନାଡାର ହାନା ହାଉଗନ ଭାରତୀୟ ଗୋଲ କିପର ସବିତା ପୁନିଆଙ୍କୁ ବାମ ପାର୍ଶ୍ୱରେ ମାତ ଦେଇ ଆଉ ଏକ ଗୋଲ କରିଥିଲେ । ଫଳରେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୨ରେ ବରାବର ହୋଇ ଯାଇଥିଲ । ତୃତୀୟ କ୍ୱାର୍ଟରେ ଲିଡ୍‌ ନେବା ପାଇଁ ଭାରତକୁ ଏକାଧିକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ହେଲେ ଏହାର ଫାଇଦା ଦଳ ଉଠାଇ ପାରି ନଥିଲା । ୪ର୍ଥ କ୍ୱାର୍ଟରରେ ଭାରତୀୟ ଖେଳାଳି ଘନଘନ ଆକ୍ରମଣ କରିବାରୁ ୫୧ତମ ମିନିଟରେ ଏହାର ଫାଇଦା ଦଳକୁ ମିଳିଥିଲା । ଏହି ସମୟରେ ମିଳିଥିବା ପେନେଲ୍ଟି କର୍ଣ୍ଣରକୁ ଶେଷ ସ୍ପର୍ଶ ଦେଇ ସିଆମି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ । କାନାଡା ଏହାକୁ ପରିଶୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫାଇଦା ମିଳି ନଥିଲେ । ଶେଷରେ ଭାରତୀୟ ମହିଳା ଦଳ ୩-୨ରେ ମ୍ୟାଚ୍‌ ଜିତି ଗ୍ରୁପ ଏରୁ ଦ୍ୱିତୀୟ ଦଳ ଭାବେ ସେମିକୁ ଯାଇଛି ।

hiranchal ad1
Leave A Reply

Your email address will not be published.

eight + 15 =