ବାଲିଗୁଡ଼ା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍.ଟି.ଏଫ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ଆଜି କୌଣସି ସୂତ୍ରରୁ ଖବର ପାଇ ଏସ୍.ଟି.ଏଫ୍ ଓ ବନ ବିଭାଗର ଟିମ୍ କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି । ଘଟଣାରେ ଟିମ୍ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ବନ୍ଧୁକ,ଗୁଳି, ଧନୁତୀର ଆଦି ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଟିମ୍ । ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଆସାମୀ ସୁକୁମାର କହଁରଙ୍କ ସମେତ ବୀରେନ ମିତ୍ର ନାୟକ, ରଂଜିତ କହଁର, ରବିନାରାୟଣ କହଁର ହୋଇଥିବା ଏସ୍.ଟି.ଏଫ୍ ଇନିସ୍ପେକ୍ଟର ଜଗନାଥ ପ୍ରସାଦ ସାହୁ ସୂଚନା ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି ଏବଂ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ରହୁଛନ୍ତି । ଏହାର ସୁଯୋଗ ନେଇ କିଛି ଜିଲ୍ଲା ବାହାରର କିଛି ଶିକାରୀ ସ୍ଥାନୀୟ ଲୋକଙ୍କୁ ଧରି ବାଘ ଶିକାର କରି ବାଘଛାଲ କାରବାର କରୁଥିବା ଅଭିଯୋଗ ହେଉଛି । ଏଣୁ ଜନ୍ତୁ ଶିକାର ଓ ଚାଲାଣକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।